ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂଆ ସଂସଦ ଭବନ ପରିସରରେ ଉନ୍ମୋଚିତ ହୋଇଥିବା ନୂଆ ଅଶୋକ ସ୍ତମ୍ଭକୁ ନେଇ ବିବାଦ ମୁଣ୍ଡ ଟେକିଛି। ପୁରୁଣା ଅଶୋକ ସ୍ତମ୍ଭ ଠାରୁ ନୂଆ ଅନାବରଣ ହୋଇଥିବା ଅଶୋକ ସ୍ତମ୍ଭ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ପୁରୁଣା ଅଶୋକ ସ୍ତମ୍ଭ ସିଂହର ମୁହଁ ଶାନ୍ତ ଥିବାବେଳେ ନୂଆ ଅଶୋକ ସ୍ତମ୍ଭ ସିଂହର ମୁହଁ ହିଂସ୍ର ରହିଛି। ଯାହାକୁ ନେଇ ବିରୋଧୀ ଦଳ ପକ୍ଷରୁ ଆରୋପ ଲଗାଯାଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ପ୍ରଥମେ ମୋଦି ସରକାରଙ୍କ ଉପରେ ଆରୋପ ଲଗାଇଛି।
କଂଗ୍ରେସ ମହାସଚିବ ଜୟରାମ ରମେଶ ନିଜ ଟ୍ୱିଟର ହ୍ୟାଣ୍ଡଲରେ ସାରନାଥ ସଂଗ୍ରହାଳୟରେ ଥିବା ପୁରୁଣା ଅଶୋକ ସ୍ତମ୍ଭ ସିଂହର ଚରିତ୍ର ଓ ପ୍ରକୃତିକୁ ବଦଳାଇବା ରାଷ୍ଟ୍ର ପ୍ରତି ଅପମାନ ବୋଲି ମତବ୍ୟକ୍ତ କରିଛନ୍ତି। ତେବେ ସାରନାଥ ସଂଗ୍ରହଳୟରେ ଥିବା ସିଂହ ଶାନ୍ତ ଥିବାବେଳେ ନୂଆ ସଂସଦରେ ଉନ୍ମୋଚିତ ସିଂହ ହିଂସ୍ର ରହିଥିବା ଶ୍ରୀ ରମେଶ କହିଛନ୍ତି। ଏଥି ସହିତ ସଂଗ୍ରହାଳୟରେ ଥିବା ପ୍ରତିକୃତି ଓ ନୂଆ ସଂସଦ ଭବନରେ ଥିବା ପ୍ରତିକୃତିର ଫଟୋକୁ ମଧ୍ୟ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏନେଇ ବିଜେପି ପ୍ରବକ୍ତା ଅନୀଲ ବାଲୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ନୂଆ ସଂସଦ ଭବନ ନିର୍ମାଣ ହୋଇଛି। ଇଂରେଜ ସରକାରଙ୍କ ସମୟରେ ୧୫୦ ବର୍ଷ ତଳେ ସଂସଦ ଭବନ ନିର୍ମାଣ କରାଯାଇଥିଲା। ତେଣୁ କଂଗ୍ରେସ ସବୁବେଳେ ଦେଶର ଲୋକଙ୍କ ମନରେ ବିଷ ଭରିବାକୁ ଚାହୁଁଥିବା କହିଥିଲେ।
ଅରିଜିନାଲ ଅଶୋକ ସ୍ତମ୍ଭ କଣ
ଅରିଜିନାଲ ଅଶୋକ ସ୍ତମ୍ଭ ଉତ୍ତର ପ୍ରଦେଶର ସାରନାଥ ମ୍ୟୁଜିୟମ ରହିଛି। ୨୫୦ ବର୍ଷ ପୂର୍ବେ ଏହି ପ୍ରତିକୃତିକୁ ଏଠାରେ ସ୍ଥାପନା କରାଯାଇଥିଲା । ୧୯୦୦ ମସିହାରେ ଜର୍ମାନୀର ସିର୍ଭିଲ ଇଞ୍ଜିନିୟର ଫେଡେରିକ ଓସ୍କାର ଓର୍ଟେଲ ସାରନାଥ ପ୍ରତିକୃତି ନିର୍ମାଣ କରିଥିଲେ। ଏହା ୧୯୦୫ ମସିହାରେ ଶେଷ ହୋଇଥିଲା। ତେବେ ଏଏସଆଇର ରିପୋର୍ଟ ଅନୁସାରେ ପୁରୁଣା ଅଶୋକ ସମ୍ଭର ଉଚ୍ଚତା ୭ ଫୁଟ ୬ ଇଞ୍ଚ ରହିଥିଲା। ପୂର୍ବରୁ ଏହାର ଉଚ୍ଚତା ୫୫ ଫୁଟ ରହିଥିବା ଅନୁମାନ କରାଯାଏ। ସମୟ କ୍ରମେ ଏହା ଭାଙ୍ଗି ରୁଜି ଯାଇଥିବା ଜଣାପଡିଛି। ପୁରାତନ ମୂର୍ତ୍ତିକୁ ୮ ଫୁଟ ଚଉଡା ଓ ୬ ଫୁଟ ଲମ୍ବର ଏକ ପଥରରେ ନିର୍ମାଣ କରାଯାଇଥିଲା। ଏହି ସ୍ତମ୍ଭ ପଛରେ ପୁରାତନ ପାଲୀ ଓ ବ୍ରାହ୍ମୀ ଭାଷାରେ ଲେଖାଯାଇଥିଲା। ସମ୍ରାଟ ଅଶୋକ ଦୁନିଆର ସବୁଠାରୁ ପ୍ରଭାବଶାଳୀ ରାଜା ଥିଲେ। ତେବେ କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକ ବୈଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିଲେ। ଏହାପରେ ବିଭିନ୍ନ ସ୍ତାନରେ ଏହି ଅଶୋକ ସ୍ତମ୍ଭକୁ ନିର୍ମାଣ କରିଥିଲେ।
ତେବେ ନୂଆ ସଂସଦ ଭବନରେ ନିର୍ମାଣ ହୋଇଥିବା ନୂଆ ଅଶୋକ ସ୍ତମ୍ଭର ଉଚ୍ଚତା ୬.୫ ମିଟର ଅର୍ଥାତ୍ ପ୍ରାୟ ୨୧ ଫୁଟ ରହିଛି। ଏହା ୩୩ ମିଟର ଅର୍ଥାତ୍ ଭୂମିଠାରୁ ୧୦୮ ଫୁଟ ରହିଛି। ଅଶୋକ ସ୍ତମ୍ଭକୁ ୧୯୫୦ ମସିଆ ଜାନୁଆରୀ ୨୬ ତାରିଖରେ ରାଷ୍ଟ୍ରୀୟ ପ୍ରତୀକ ଭାବେ ପରିଗଣିତ ହୋଇଥିଲା। ତେବେ ଦେଶର ସାମ୍ବିଧାନିକ ପଦବୀରେ ଥିବା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଓ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ବ୍ୟବହାର କରିପାରିବେ। ଅବସର ଗ୍ରହଣ ପରେ ଏହାକୁ ଆଉ ବ୍ୟବହାର କରିପାରିବେ ନାହିଁ। ରାଷ୍ଟ୍ରୀୟ ପ୍ରତୀକ ଦୁରୁପୋଯୋଗ ଆଇନ ୨୦୦୫ ବଳରେ ଜଣେ ବ୍ୟକ୍ତିଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ହେବା ସହିତ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ ବୋଲି ନିୟମରେ ଦର୍ଶାଯାଇଛି।