ଭିନ୍ନକ୍ଷମଙ୍କୁ ମିଳୁନି ଆବାସ ଯୋଜନାରେ ଘର

(ମନିଲ କୁମାର ମହାରଣା ) : ସରକାର ଗରିବ,ଭିନ୍ନକ୍ଷମମାନଙ୍କ ନିମନ୍ତେ ବହୁ ଯୋଜନା ପ୍ରଣୟନ କରିଥିବାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ପ୍ରକୃତରେ ଯୋଗ୍ୟ ହିତାଧିକାରୀମାନେ ଏଥିରୁ ବଞ୍ଚିତ ହେଉଥିବାର ଦେଖିବାକୁ ମିଳୁଛି । ନିର୍ବାଚିତ ପ୍ରତନିଧିମାନଙ୍କ ଦୂରଦୃଷ୍ଟିର ଅଭାବ ତଥା ସ୍ଥାନୀୟ ପ୍ରଶାସନର ଅଳସୁଆମୀ ମନୋଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀମାନେ ନିଜର ଜାଗା ଥାଇ ମଧ୍ୟ ଆବାସ ଯୋଜନାରେ ଘର ଖଣ୍ଡେ ବନାଇବାକୁ ସକ୍ଷମ ହେଉନାହାନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ତାଳଚେର ବ୍ଲକ ଘଣ୍ଟପଡ଼ା ଗ୍ରାମରେ । ଏହି ଗ୍ରାମର ସାମନ୍ତ ସାହିରେ ବାସ କରୁଥିବା ସ୍ୱର୍ଗତ ନାରାୟଣ ମହାରଣାଙ୍କ ପୁଅ ଗୋଲେଖ ମହାରଣା ଏବେ ବିତାଉଛନ୍ତି ଅଭିଶପ୍ତ ଜୀବନ ।

ଏକ ଦୁର୍ଘଟଣାରେ ସେ ତାଙ୍କ ବାମ ଗୋଡଟିକୁ ସମ୍ପୂର୍ଣ ହରାଇବା ପରେ ଏବେ ପରିବାର ପୋଷିବା ତାଙ୍କପାଇଁ କଷ୍ଟକର ହୋଇପଡିଛି । ମେଡିକାଲ ରିପୋର୍ଟ ଅନୁସାରେ ସେ ୭୫ ପ୍ରତିଶତ ବିକଳାଙ୍ଗ । ଏଣୁ ଆବାସ ଯୋଜନାରେ ତାଙ୍କୁ ଘର ନିର୍ମାଣ ପାଇଁ ଅନୁମତି ଦେବାକଥା । ଗୋଲେଖଙ୍କ ପରିବାର ରହୁଥିବା ଘରଟି ଏବେ ଭାଙ୍ଗିବାକୁ ବସିଲାଣି । ତେବେ ଆର୍ଥିକ ଅବସ୍ଥା ନିହାତି ଖରାପ ଥିବାରୁ ସେ ଘର ଖଣ୍ଡିଏ ନିର୍ମାଣ କରି ପାରୁନାହାନ୍ତି । ସରକାରଙ୍କ ଆବାସ ଯୋଜନା ତାଙ୍କ ପାଇଁ ସାତସପନ ପାଲଟିଛି । ଏପରିସ୍ଥଳେ ଦିନ ପରେ ଦିନ ଗଡି ଚାଲିଛି କିନ୍ତୁ ତାଙ୍କୁ ସହାୟତା ମିଳିପାରୁନି ।

ତେବେ ଗୋଲେଖ ଏ ସମ୍ପର୍କରେ ଅଭିଯୋଗ ଶୁଣାଣିରେ ତାଳଚେର ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏ ନେଇ ତାଳଚେର ଵିଡିଓଙ୍କୁ କୁହାଯାଇଛି। ସେ ତଦନ୍ତ କରି ରିପୋର୍ଟ ଦେବାପରେ ଗୋଲେଖଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି ।