ଭୁବନେଶ୍ୱର : ନିଜ ଭୁଲକୁ ହୃଦୟଙ୍ଗମ କରି ଶେଷରେ କ୍ଷମା ମାଗିଲେ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ । ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂହଙ୍କ ପ୍ରତି ଅପମାନଜନକ ଟିପ୍ପଣୀ ଦେଇଥିବା ଯୋଗୁଁ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ଏହାକୁ ବିରୋଧ କରି ବରଗଡ଼ର ଘେଁସରେ ଗତକାଲି ୬ ଘଣ୍ଟା ବନ୍ଦ ରହିଥିଲା । କେବଳ ଏତିକି ନୁହେଁ ସୁରଙ୍କ ବୟାନକୁ ନେଇ ବିଜେପି ମଧ୍ୟ ପ୍ରତିବାଦ କରିଥିଲା ।
ସୋମବାର ସୁରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲା ବିଜେପି ଯୁବ ମୋର୍ଚ୍ଚା । ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାପତିଙ୍କ ନେତୃତ୍ୱରେ କାର୍ଯ୍ୟକର୍ତ୍ତାମାନେ ଥାନାରେ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୁରଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।
ସୂଚନାଯୋଗ୍ୟ ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହାତଖର୍ଚ୍ଚ ମିଳିବ । ଏଥିପାଇଁ ‘ମାଧୋ ସିଂ ହାତଖର୍ଚ୍ଚ’ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହି ଯୋଜନା ବାବଦ ୧୫୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ତେବେ ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂହଙ୍କୁ ନେଇ ଅପମାନଜନକ ଟିପ୍ପଣୀ ଦେଇଥିଲେ ସୁର ରାଉତରାୟ। ଯାହା ପରେ ବିରୋଧ କରାଯିବାରୁ ସେ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ମୁଁ ତାଙ୍କୁ ଜାଣିନଥିଲି, ଭୁଲରେ କହି ଦେଇଛି।