ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତ୍ରଙ୍କ ମୃତ୍ୟୁକୁ କେନ୍ଦ୍ର କରି ଉତ୍ତେଜନା

ଭୁବନେଶ୍ୱର ଶିଖରଚଣ୍ଡୀ ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଜଣେ ଛାତ୍ରଙ୍କ ମୃତ୍ୟୁକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି । ମୃତକ ଜଣକ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ବିଶ୍ୱାସ ସ୍ୱାଇଁ, ଯିଏକି ବି.ଟେକ୍ ପ୍ରଥମ ବର୍ଷରେ ପାଠ ପଢୁଥିଲେ । ଶନିବାର ରାତିରେ ଏହି ଘଟଣା ସାମ୍ନାକୁ ଆସିବା ପରେ କଲେଜ ପରିସରରେ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଥିବା ବେଳେ ମୃତ ଛାତ୍ରଙ୍କ ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ର‍୍ୟାଗିଂ ଯୋଗୁଁ ଏଭଳି ଘଟଣା ଘଟିଥିବା ନେଇ ମଧ୍ୟ ଗୁରୁତର ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ରବିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ବିଶ୍ୱାସଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି ।

ମୃତକ ବିଶ୍ୱାସଙ୍କ ବାପା ବସନ୍ତ ସ୍ୱାଇଁଙ୍କ ବୟାନ ଅନୁଯାୟୀ, ଶନିବାର ରାତିରେ ତାଙ୍କ ପୁଅ ୱାର୍ଡେନ୍‌ଙ୍କ ପାଖରେ ଆଟେଣ୍ଡାନ୍ସ  ପକାଇ ନଥିବା ନେଇ ତାଙ୍କ ନିକଟକୁ ଏକ ମେସେଜ୍ ଆସିଥିଲା । ଏହାପରେ ସେ ବ୍ୟସ୍ତ ହୋଇ ପୁଅକୁ ଫୋନ୍ କରିଥିଲେ, କିନ୍ତୁ ସେ ଉଠାଇ ନଥିଲେ । ରାତି ପ୍ରାୟ ୧୦ଟା ବେଳେ ବିଶ୍ୱାସ ନିଜେ ବାପାଙ୍କୁ ଫୋନ୍ କରି ଜଣାଇଥିଲେ ଯେ ସେ ଶୋଇପଡ଼ିଥିଲେ, ତେଣୁ ଆଟେଣ୍ଡାନ୍ସ ଦେଇପାରିଲେ ନାହିଁ । କିନ୍ତୁ ଏହାର ଠିକ୍ ଘଣ୍ଟାଏ ପରେ ଅର୍ଥାତ୍ ରାତି ୧୧ଟା ସମୟରେ କଲେଜ କର୍ତ୍ତୃପକ୍ଷ ଫୋନ୍ କରି ଜଣାଇଥିଲେ ଯେ ତାଙ୍କ ପୁଅ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ଖବର ପାଇ ଛାତ୍ରଙ୍କ ବାପା କଲେଜରେ ପହଞ୍ଚିବା ବେଳକୁ ତାଙ୍କ ପୁଅକୁ ହସ୍ପିଟାଲ ନିଆଯାଇଥିଲା । ପରେ ରୁମ୍‌କୁ ଯାଇ ଦେଖିବାରୁ ସେଠାରେ ସବୁ ଜିନିଷ ଏଣେତେଣେ ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ପୁଅର ମୃତ୍ୟୁକୁ ହତ୍ୟାକାଣ୍ଡ ଦର୍ଶାଇ ଅଭିଯୋଗ କରି କହିଛନ୍ତି । ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ମୋ ପୁଅ କେମିତି ଜୀବନ ହାରି ପାରିବ ? କଲେଜ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଅବହେଳା କରିଛନ୍ତି । କଲେଜ କର୍ତ୍ତୃପକ୍ଷ ପୁଅର ଯତ୍ନ ନେଉ ନ ଥିଲେ । ମୋ ପୁଅ କ୍ଲାସ୍‌ ଓ୍ୱାନ୍‌ ଅଫିସର୍‌ ହୋଇଥାନ୍ତା । ହେଲେ ସବୁ ସ୍ୱପ୍ନ ଅଧା ରହିଗଲା ।