ବାରିପଦା-: ପ୍ରବଳ ବର୍ଷା ଯୋଗୁ ଜୁଲାଇ ୧ ରୁ ଶିମିଳିପାଳ ବନ୍ଦ। ଦିନବେଳା ବୁଲିପାରିବେନି ପର୍ଯ୍ୟଟକ। ଏନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। କିନ୍ତୁ ଶିମିଳିପାଳର ଜାମୁଆଣି, ଗୁଡୁଗୁଡିଆ, କୁମାରୀ, ବରେହିପାଣି ଓ ରାମତୀର୍ଥ ଇକୋ ଟୁରିଜିମ୍ କେନ୍ଦ୍ରମାନ ପରିଦର୍ଶକଙ୍କ ପାଇଁ ଖୋଲା ରହିବ। ଶିମିଳିପାଳ ଦେଶ ତଥା ବିଦେଶର ପର୍ଯ୍ୟଟକଙ୍କୁ ଏହାର ଶୋଭାରାଜି ପାଇଁ ଆକର୍ଷିତ କରିଥାଏ। ଏଥି ନିମନ୍ତେ ସାଧାରଣତଃ ଅକ୍ଟୋବର ମାସ ମଧ୍ୟଭାଗରୁ ସାଢେ ସାତ ମାସ ପର୍ଯ୍ୟଟନ ଋତୁ ଭାବେ ପରିଚିତ ଥିବାରୁ ପର୍ଯ୍ୟଟକଙ୍କୁ ଏହି ସମୟରେ ଶିମିଳିପାଳ ବୁଲିବା ପାଇଁ ସୁଯୋଗ ମିଳିଥାଏ। ତେବେ ଶିମିଳିପାଳର ରାସ୍ତାଘାଟ ବର୍ଷାଦିନେ ଅନୁକୂଳ ରହୁ ନଥିବାରୁ ବର୍ଷାଋତୁ ଆରମ୍ଭଠାରୁ ବର୍ଷାଋତୁ ଶେଷ ପର୍ଯ୍ୟନ୍ତ ପ୍ରତିବର୍ଷ ସାଧାରଣତଃ ସାଢେ ୪ମାସ ପାଇଁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯିବା ସହିତ ପ୍ରବେଶ ଅନୁମତି ଦିଆଯାଇ ନଥାଏ। ସେହିପରି ବର୍ଷାରେ ଅଭୟାରଣ୍ୟର ଆଭ୍ୟନ୍ତରୀଣ କଚ୍ଚା ରାସ୍ତାଗୁଡ଼ିକ ଧୋଇଯାଇ ବିପଦସଙ୍କୁଳ ହୋଇପଡ଼େ। ବର୍ଷା ପରେ ଆବଶ୍ୟକ ଭିତ୍ତିଭୂମି ମରାମତି କରାଯିବା ସହ ଶିମିଳିପାଳ ପୁଣି ଖୋଲିଥାଏ।