ଭୁବନେଶ୍ଵର: ଆଉ ଦିନ କେଇଟାରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଜଗତଜନନୀ । ଏଥିପାଇଁ ଚଳଚଞ୍ଚଳ ହେଲାଣି ସମସ୍ତ ଶକ୍ତିପୀଠ । ମା’ଙ୍କ ଆଗମନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଶାରଦୀୟ ପାର୍ବଣ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିବା ବେଳେ ଶକ୍ତିପୀଠ ଗୁଡ଼ିକରେ ମା ଙ୍କ ଷୋଡଶ ଉପଚାର ପୂଜା ଆଜିଠାରୁ ଆରମ୍ଭ ହୋଇଛି । ରିତି ଅନୁଯାୟୀ ମୂଳାଷ୍ଟମୀ ଦିନଠାରୁ ମା’ ଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥାଏ। କଟକର ଆରାଧ୍ୟ ଦେବୀ ମା କଟକଚଣ୍ଡୀ ଓ ଗଡଚଣ୍ଡୀଙ୍କ ଆଜିଠାରୁ ଷୋଡଶ ଉପଚାର ପୂଜା ଆରମ୍ଭ ହେବ। ସେହିପରି ଜଗତସିଂହପୁରର ଶାରଳା ପୀଠ, ଯାଜପୁରର ବିରଜା, ଶ୍ରୀମନ୍ଦିରେ ମା ବିମଳା ସମେତ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜିଠୁ ସ୍ୱତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଛି ।

ପୁରୀ ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୀଠରେ ଆଜି ମାଙ୍କ ଷୋଡ଼ଶ ଦିନାମତ୍କ ପୂଜା ଉପଚାର ବିଧି ଆରମ୍ଭ ହୋଇଛି। ସହସ୍ରା କୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ମା’ଙ୍କ ଘଟସ୍ଥାପନ ସହିତ ଆବାହନ କରାଯାଇଛି। ଏଥିପାଇଁ ଶ୍ରୀ ନଅରରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ୨୧ ଜଣ ବ୍ରାହ୍ମୁଣଙ୍କୁ ଆଚାର୍ଯ୍ୟବରଣ କରି ଦେବୀ ପୀଠମାନଙ୍କରେ ଷୋଡ଼ଶ ଦିନାତ୍ମକ ପୂଜା ପାଇଁ ଆମନ୍ତ୍ରଣ କରିଛନ୍ତି। ଶାରଦୀୟ ପୂଜା ଅବସରରେ ସବୁଠି ଦେବୀ ଦୁର୍ଗାଙ୍କ ପୂଜା ଚାଲୁଥିବା ବେଳେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଏକତ୍ର ଉପାସନାର ପରମ୍ପରା ରହିଛି। ଶ୍ରୀମନ୍ଦିରରେ ଆଜିଠାରୁ ଶାକ୍ତ ଓ ଶକ୍ତିଙ୍କ ଉପାସନା ସ୍ୱରୁପ ଦୁର୍ଗାମାଧବଙ୍କୁ ପୂଜାର୍ଚ୍ଚନା କରାଯାଇଛି। ଶାରଦୀୟ ପୂଜା ପାଇଁ ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୀଠ ସହିତ ପୁରୀର ଅନ୍ୟାନ୍ୟ ପ୍ରତିଷ୍ଠିତ ଶକ୍ତି ପୀଠ ପାଇଁ ଶ୍ରୀନଅରକୁ ବ୍ରାହ୍ମଣମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଗଜପତି ମହାରାଜ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟପଦରେ ବରଣ କରିବେ। ଆଜିଠାରୁ ଶ୍ରୀକ୍ଷେତ୍ରର ସବୁ ଶକ୍ତିପୀଠ ମାନଙ୍କରେ ଚଣ୍ଡୀପାଠ ଆରମ୍ଭ ହେବ।