ପର୍ଯ୍ୟଟକଙ୍କ ପାଇଁ ଖୋଲି ଯାଇଛି ଶିମିଳିପାଳ ଅଭୟାରଣ୍ୟ

ଶିମିଳିପାଳ: ପର୍ଯ୍ୟଟକଙ୍କ ପାଇଁ ଖୋଲି ଯାଇଛି ଶିମିଳିପାଳ ଅଭୟାରଣ୍ୟ । ତେବେ ମୌସମୀ ଋତୁ ପାଇଁ ପ୍ରାୟ ୫ ମାସ ପାଇଁ ବନ୍ଦ  ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ  ।  ଏଥର  ପ୍ରଥମ ଥର ପାଇଁ ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ। ଖୋଲା ଜିମ୍ନି ଗାଡିରେ ବସି କୋର ଅଞ୍ଚଳ ବୁଲିବା ସହ ବନ୍ୟଜନ୍ତୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ପ୍ରତି ବର୍ଷ ନଭେମ୍ୱର ୧ ତାରିଖରେ ଖୋଲୁଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖରେ ଖୋଲାଯାଇଛି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଦୁର୍ଗା ପୂଜା ପୂର୍ବରୁ ଖୋଲାଯାଇଛି ଶିମିଳିପାଳ ।

ପ୍ରବେଶ ନିମନ୍ତେ ଅନୁମତି ପତ୍ର କେବଳ ବାରିପଦା ପିଠାବଟା ଓ ଯଶୀପୁର କାଣିଆଣି ବୁକିଂ କାଉଣ୍ଟାରୁ ସକାଳ ୬ରୁ ସକାଳ ୯ ପର୍ଯ୍ୟନ୍ତ ମିଳିପାରିବ ।  ପର୍ଯ୍ୟଟକ କେବଳ ପିଠାବଟା ଓ ଯଶିପୁରର କାଳିଆଣି ଦେଇ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ। ଦୈନିକ ସର୍ବାଧିକ ୨୫ଟି ଗାଡ଼ି ପିଠାବଟା ତନଖି ଫାଟକ ଦେଇ ପ୍ରବେଶ କରିପାରିବାକୁ ଥିବା ବେଳେ ଯଶିପୁରର କାଳିଆଣି ତନଖି ଫାଟକ ମଧ୍ୟଦେଇ ୩୫ଟି ଗାଡି ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ ।