ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ସିରିଜ୍ ଦୁର୍ଘଟଣା

ସିସିଟିଭିରେ  କଏଦ ହୋଇଛି  ଭୟଙ୍କର ଦୁର୍ଘଟଣାର   ଦୃଶ୍ୟ ।   ରାସ୍ତାରେ ହଠାତ୍ ସାମ୍ନାକୁ ଆସିଗଲେ ଜଣେ ବୃଦ୍ଧ ବାଇକ୍ ଚାଳକ। ତାଙ୍କୁ ଧକ୍କା ଦେବାରୁ ବଞ୍ଚିବା ପାଇଁ ଏକ ଏସ୍‌ୟୁଭି ଚାଳକ ଗାଡ଼ିକୁ ଅନ୍ୟ ପାର୍ଶ୍ୱକୁ ବୁଲାଇଦେଲେ। ହେଲେ ଏହି ଗୋଟିଏ ମୁହୂର୍ତ୍ତର ନିଷ୍ପତ୍ତି ପାଇଁ ଚାଲିଗଲା ଦୁଇ ଜୀବନ। ଦୁଇଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ପରେ ଏକାଧିକ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାର ପୂରା ଦୃଶ୍ୟ ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ବୃଦ୍ଧ ବାଇକ୍ ଚାଳକ ସର୍ଭିସ୍ ଲେନ୍‌ରୁ ବାହାରି ହଠାତ୍ ହାଇୱେ ପାର୍ ହେବାକୁ ଉଦ୍ୟମ କରୁଛନ୍ତି। ଠିକ୍ ସେହି ସମୟରେ ଏକ ନୀଳ ରଙ୍ଗର ଏସ୍‌ୟୁଭି ଦ୍ରୁତ ଗତିରେ ଆସୁଥିଲା।ବୃଦ୍ଧ ବାଇକ୍ ଚାଳକଙ୍କୁ ଧକ୍କା ଦେବାରୁ ବଞ୍ଚିବା ପାଇଁ ଏସ୍‌ୟୁଭି ଚାଳକ ହଠାତ୍ ଗାଡ଼ିକୁ ବିପରୀତ ଦିଗକୁ ବୁଲାଇ ଦେଇଥିଲେ। ଫଳରେ ସାମ୍ନା ପଟୁ ଆସୁଥିବା ଏକ ଧଳା ଏସ୍‌ୟୁଭି ସହ ତାଙ୍କ ଗାଡ଼ିର ଜୋରଦାର ଧକ୍କା ହୋଇଥିଲା।

ଏହି ଧକ୍କାର ପ୍ରଭାବରେ ଆଉ ଜଣେ ବାଇକ୍ ଚାଳକ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲେ। ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍ ଚାଳକ ଜଣକ ଛିଟିକି ହାଇୱେ ଉପରକୁ ଉଠିଯାଇଥିଲେ। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି। ମୃତକ ଓ ଆହତଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ।