ଭୟଙ୍କର ସଡ଼କ ଦୁର୍ଘଟଣା; ଏକ ସେନା ପରିବାରର ୭ ଜଣଙ୍କ ମୃତ୍ୟୁ

ଗୁଜରାଟର କଚ୍ଛ ଜିଲ୍ଲାର ଭୁଜ-ଖାଭଡ଼ା ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର୍‌ ସହ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବାରୁ ୩ ଶିଶୁଙ୍କ ସମେତ ମୋଟ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ବେଳେ ସେମାନେ ଉତ୍ତରାଖଣ୍ଡରୁ କଚ୍ଛ ବୁଲିବାକୁ ଆସିଥିଲେ।

ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୯ଟା ୩୦ ମିନିଟ୍‌ରେ ମରୁଭୂମି ଅଞ୍ଚଳ ଦେଇ କାର୍‌ଟି ଭୁଜ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଖାଭଡ଼ା ଆଡ଼କୁ ଯାଉଥିବା ଏକ ମାଲବାହୀ ଟ୍ରେଲର ଟ୍ରକ୍‌ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ଚୁରମାର ହୋଇ ଦୁଇ ଖଣ୍ଡ ହୋଇଯାଇଥିଲା।

ଏହି ଦୁର୍ଘଟଣାରେ ଦୁଇ ଜଣ ପୁରୁଷ, ଦୁଇ ଜଣ ମହିଳା ଏବଂ ତିନି ଜଣ ଶିଶୁଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ସୌରଭସିଂହ ଜସପାଲସିଂହ ନେଗୀ (୩୨), ତାଙ୍କ ପତ୍ନୀ ସବିତା ଏବଂ ତିନି ମାସର ଶିଶୁକନ୍ୟା ଶିବିକା। ସେହିପରି ରିଙ୍କି ନିତିନ ଗୁନସାଇ ଓ ତାଙ୍କ ଝିଅ ଭାମିକା, ରାଜେଶ ସିଂହ ରାୱତ ଏବଂ ତାଙ୍କ ସାତ ବର୍ଷର ଝିଅ ରକ୍ଷିତାଙ୍କ ମଧ୍ୟ ମୃତ୍ୟୁ ହୋଇଛି।