ସମଲିଙ୍ଗୀ ବିବାହକୁ ନେଇ ‘ସୁପ୍ରିମ’ ରାୟ : ସଂସଦରେ ଆଇନ ନଆଣିବା ଯାଏ ସ୍ୱୀକୃତି ହେବନି

ନୂଆଦିଲ୍ଲୀ : ଆଜି ସମଲିଙ୍ଗୀ ବିବାହର ବୈଧତା ସମ୍ପର୍କରେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଐତିହାସିକ ରାୟ ୫ ଜଣିଆ ଖଣ୍ଡପୀଠ ଶୁଣାଇଛନ୍ତି । ପ୍ରାଧାନ ବିଚାରପତି ଜଷ୍ଟିସ୍‌ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ କହିଛନ୍ତି ଯେ,  କୋର୍ଟ ଆଇନ ତିଆରି କରିପାରିବେ ନାହିଁ ।  ଏହା କେବଳ ଏହାର ବ୍ୟାଖ୍ୟା ଏବଂ କାର୍ଯ୍ୟକାରୀ କରିପାରିବ। ସ୍ୱତନ୍ତ୍ର ବିବାହ ଆଇନର ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ଅଛି କି ନାହିଁ ତାହା ସ୍ଥିର କରିବା ସଂସଦର କାର୍ଯ୍ୟ। ଜୀବନସାଥୀ ବାଛିବାରେ ସମସ୍ତଙ୍କ ଅଧିକାର ରହିଛି। ସମଲିଙ୍ଗୀ ବିବାହ ଏକ ମୌଳିକ ଅଧିକାର ନୁହେଁ। ସ୍ବତନ୍ତ୍ର ବିବାହ ଆଇନରେ ପରିବର୍ତ୍ତନ ନେଇ ସଂସଦ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ସୁପ୍ରିମକୋର୍ଟ । ସଂସଦ ଆଇନ ନଆଣିବା ଯାଏ ଏନେଇ ସ୍ବୀକୃତି ଦେଇ ହବନି। ଏ ନେଇ ସଂସଦ ନିଷ୍ପତ୍ତି ନେଉ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସମଲିଙ୍ଗୀଙ୍କଠାରୁ ପୋଷ୍ୟ ସନ୍ତାନର ଅଧିକାର ଛଡ଼ାଇ ହେବ ନାହିଁ । ଏହା ପୋଷ୍ୟ ସନ୍ତାନ ଅଧିକାର ଛଡ଼ାଇବା ଧାରା ୧୫ର ଉଲଙ୍ଘନ କରୁଛି ବୋଲି ସୁପ୍ରିମ କୋର୍ଟ କହିଛନ୍ତ। ସିଜେଆଇ ଆହୁରି କହିଛନ୍ତି, ସମଲିଙ୍ଗୀ ବିବାହ ଚିନ୍ତାଧାରା କେବଳ ସହରରେ ସୀମିତ ନାହିଁ। ଗାଁରେ ଚାଷ କାମ କରୁଥିବା ମହିଳା ମଧ୍ୟ ସମଲିଙ୍ଗୀ ବିବାହକୁ ଅନୁମତି ଦେବାକୁ ଦାବି କରୁଛନ୍ତି। ତେଣୁ ସମଲିଙ୍ଗୀ ସମ୍ପର୍କ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସିଜେଆଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମଲିଙ୍ଗୀ ବିବାହ ରାୟ ଶୁଣାଇବା ବେଳେ ବୈଷମ୍ୟ ବିରୋଧୀ ଆଇନ ଆଣିବାକୁ କହିଲେ ସୁପ୍ରିମକୋର୍ଟ ଖଣ୍ଡପୀଠ । ବୈଷମ୍ୟ ବିରୋଧୀ ଆଇନ ବା ଆଣ୍ଟି ଡିସ୍‌କ୍ରିମିନେସନ ଲ’ ଅଣାଯାଉ । ବୈଷମ୍ୟ ବିରୋଧୀ ଆଇନ ଆଣିବାକୁ ମତ ଦେଲେ ପ୍ରଧାନ ବିଚାରପତି । ପ୍ରଧାନ ବିଚାରପତିଙ୍କ ମତକୁ ମୁଁ ବି ଗ୍ରହଣ କରୁଛି ବୋଲି କହିଥିଲେ ଜଷ୍ଟିସ କୌଲ ।