ଉଦ୍ଧାର ହେଲା ବିରଳ ସାପ । ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ଛୁଆଳ ସିଂହ ଅଞ୍ଚଳରୁ ଏକ ହଳଦିଆ ଧଳା ରଙ୍ଗର ବିରଳ ଆଲବିନୋ ରଣା ସାପ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଧରି ଏକ ପ୍ଲାଷ୍ଟିକ ଡବାରେ ରଖିଥିଲେ। ସ୍ନେକ୍ ହେଲ୍ପ ଲାଇନକୁ ଫୋନ କରି ସାପଟିକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ। ଭଦ୍ରକ ଡିଭିଜନର ACF ସୁମିତ୍ ମହାନ୍ତିଙ୍କ ନିର୍ଦ୍ଦେଶରେ ସାପଟିକୁ ଭଦ୍ରକ ରେଞ୍ଜ ଅଫିସକୁ ଅଣା ଯାଇଥିଲା ।

ସାପଟିର ମୁହଁ ପାଖରେ ଟିକେ ଖଣ୍ଡିଆ ଥିବାରୁ ସାପର ସ୍ୱାସ୍ଥ୍ୟ ଭଲ ମନ୍ଦ ଦେଖିବା ପାଇଁ ACF ଙ୍କ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଙ୍କୁ ଅନୁରୋଧ କରିଥିଲେ । ଶୁଭେନ୍ଦୁ ଙ୍କ ଠାରୁ ଖବର ପାଇ ଯାଜପୁର ଟାଉନରୁ ସ୍ନେକ୍ ହେଲ୍ପ ଲାଇନର ଏକ ୩ ଜଣିଆ ଟିମ୍ ଭଦ୍ରକ ରେଞ୍ଜ ଅଫିସ ଯାଇ ସାପକୁ ପାଣି ପିଆଇବା ବ୍ୟବସ୍ଥା କରିଥିଲେ । ସାପଟିର ମୁହଁ ଖଣ୍ଡିଆ ହୋଇଥିବାରୁ ଚିକିତ୍ସା ପାଇଁ ନନ୍ଦନକାନନ ପଠେଇବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକୀୟ କାଗଜପତ୍ର କରିବା ପରେ ଉକ୍ତ ବିରଳ ଆଲବିନୋ ରଣା ସାପ ନନ୍ଦନକାନନ ଆସିବ ।
