ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI Odisha (ସିଟି ଓଡ଼ିଶା) । ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ସ ବା ସିଟି ଓଡ଼ିଶା ପ୍ରତିଷ୍ଠା କରିବେ । ସିଟି ଓଡିଶା ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ । ଏକ ରଣନୈତିକ ପରାମର୍ଶଦାତା ସଂସ୍ଥା ହେବ ସିଟି । ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଭାବରେ ଗଭର୍ଣ୍ଣିଂ କାଉନସିଲର ନେତୃତ୍ୱ ନେବେ । ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଓ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲ ନିମନ୍ତେ ମୋହନ ସରକାର ଏହି ପଦକ୍ଷେପ ନେଇଛନ୍ତି । ସିଟି ଓଡ଼ିଶା ଗଠନ କରି ପ୍ରଶାସନିକ ରଣନୀତି, ପ୍ରମାଣଭିତ୍ତିକ ନୀତି ଯୋଜନା ପ୍ରଣୟନ ଓ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରାକୁ ଆଗକୁ ବଢାଇବା ସହ ବିକାଶର ଧାରାରେ ବଡ଼ଧରଣର ରୂପାନ୍ତର ଆଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଗତକାଲି ‘ସିଟି ଓଡ଼ିଶା’ ଗଠନ ନେଇ ସଂକଳ୍ପ ଜାରି ହୋଇଛି । ସିଟି ଓଡ଼ିଶା ଗଠନକୁ ମୋହନ ସରକାର ବାସ୍ତବ ରୂପ ଦେଇଛନ୍ତି । ଓଡ଼ିଶାର ବିକାଶ, ଯୋଜନା ଓ ନୀତି ଆଦି ପ୍ରଣୟନରେ ବିଗତ ୫ ଦଶନ୍ଧି ଧରି ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିଲା ରାଜ୍ୟ ଯୋଜନା ବୋର୍ଡ । ମନ୍ତ୍ରୀ ମଣ୍ଡଳ ପରେ ରାଜ୍ୟ ବିକାଶରେ ଯୋଜନା ବୋର୍ଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା । ବିଜେଡି ସରକାର ସମୟରେ ଯୋଜନା ବୋର୍ଡକୁ ରାଜନୈତିକ ଥଇଥାନ କେନ୍ଦ୍ର କରାଯାଇଥିବା ଅଭିଯୋଗ ହେଉଥିଲେ । ଶେଷ ଥର ପାଇଁ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ଥିଲେ ବରିଷ୍ଠ ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ଯୋଜନା ବୋର୍ଡ ସ୍ଥାଣୁ ପାଲଟି ଯାଇଥିଲା । ମୋହନ ସରକାର କ୍ଷମତାକୁ ଆସିବା ପରେ ୨୦୨୪ ଜୁଲାଇ ୧୮ ତାରିଖରେ ଯୋଜନା ବୋର୍ଡକୁ ଭଙ୍ଗ କରିଦେଇଥିଲେ ଏବଂ ସରକାର ଆସିବାର ପ୍ରାୟ ଦୁଇ ବର୍ଷ ବିତିଥିଲେ ମଧ୍ୟ ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ ପାଇଁ ମୋହନ ସରକାର ପ୍ରୟାସ କରିନଥିଲେ । କିନ୍ତୁ ୨୦୨୩ ଜୁଲାଇ ୬ ତାରିଖରେ ନିତି ଆୟୋଗ ଜାରି କରିଥିବା ରାଜ୍ୟ ସହାୟତା ମିଶନ ଗାଇଡଲାଇନକୁ ଆଧାର କରି ସିଟି ଓଡ଼ିଶା ଗଠନ ହୋଇଛି ।
