ଜବରଦଖଲ ଉଚ୍ଛେଦ ବେଳେ ବସ୍ତିରୁ ମିଳିଲା ଶହ ଶହ ସିଲିଣ୍ଡର

ଜବଦଖଲ ଉଚ୍ଛେଦ ବେଳେ ଅଧିକାରୀଙ୍କ ଆଖି ଖୋସି ହୋଇଗଲା । କାରଣ ବାହାରେ ସିଲିଣ୍ଡର ପାଇଁ ଲୋକେ ମୁଣ୍ଡଫଟା ଖରାରେ ଲମ୍ବା ଲାଇନ୍ ଲଗାଉଥିବା ବେଳେ ବସ୍ତିରୁ ମିଳିଲା ଶହ ଶହ ସିଲିଣ୍ଡର । ଭୁବନେଶ୍ୱର ଶ୍ୟାମପୁରରେ ଆଜି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଜବତ ହୋଇଛି ବିପୁଳ ପରିମାଣର ସିଲିଣ୍ଡର । ଗୋଟିଏ ଘରୁ ଶତାଧିକ LPG ସିଲିଣ୍ଡର ହେଲା ଠାବ । ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ଆଜି ବଡ଼ଧରଣର ଜବରଦଖଲ ଉଚ୍ଛେଦ ଚାଲିଛି । ବୁଲିଲା ବିଡିଏ ବୁଲଡୋଜର । ଆଖି ପିଛୁଳାକେ ମାଟିରେ ମିଶିଲା ବଡ଼ ବଡ଼ ଘର । ବିଡିଏ ପକ୍ଷରୁ ଏହା ହେଉଛି ରାଜଧାନୀରେ ସବୁଠାରୁ ବଡ଼ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ପ୍ରାୟ ୬୮ ଏକର ଜମିରେ ଥିବା ଏହି ଜବରଦଖଲ ଉଚ୍ଛେଦ କରାଯାଉଛି। ଏହି ଉଚ୍ଛେଦ ପାଇଁ କମିଶନରେଟ ପୋଲିସ ପକ୍ଷରୁ ୭ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୨୦ରୁ ଉର୍ଦ୍ଧ ପୋଲିସ ଅଫିସର ମୁତୟନ ହୋଇଛନ୍ତି । ବିଡିଏର ୧୫୦ଜଣିଆ ଟିମ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ୧୦ଟି ଜେସିବି ଉଚ୍ଛେଦ କାମରେ ଲାଗିଛନ୍ତି ।

ଏହି ସରକାରୀ ଜାଗାକୁ ଦୀର୍ଘ ବର୍ଷ ହେବ ଜବରଦଖଲ କରି ମାଡ଼ି ବସିବା ସହ ବହୁ ସ୍ଥାୟୀ ନିର୍ମାଣ ବି କରାଯାଇଛି । ମାତ୍ର ଏବେ ଆକ୍ସନ ମୁଡକୁ ଆସିଛି ବିଡିଏ । ଆଜିଠୁ ୩ ଦିନ ଧରି ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିବ । କୌଣସି ଦଙ୍ଗା ସୃଷ୍ଟି ହେଲେ ତାହାକୁ ନିୟନ୍ତ୍ରଣ ପାଇଁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ବିଜେଡି ଅମଳରେ ନେତାଙ୍କ ଛତ୍ରଛାୟା ତଳେ ରହି ବହୁ ଜମି ମାଫିଆ ରାଜଧାନୀ ଛାତି ଉପରେ ଏହି ଜାଗାକୁ ମାଡ଼ି ବସିଥିଲେ । ମାତ୍ର ଶାସନ କ୍ଷମତାକୁ ଆସିବା ପରେ ବିଜେପି ଏନେଇ ଏକ ବଡ଼ ଆକ୍ସନ ନେଇଛି ।