ବାରଙ୍ଗ: ରାଜନୈତିକ ନିର୍ବାଚନୀ ହିଂସା ଘଟିଛି ଭୁବନେଶ୍ୱର ବ୍ଲକ୍ ରଘୁନାଥପୁର ପଞ୍ଚାୟତରେ । ରଘୁନାଥପୁର ପଂଚାୟତ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ସଞ୍ଜୀବ କୁମାର ପଣ୍ଡାଙ୍କ ବାପା ଗୋଲଖ ବିହାରୀ ପଣ୍ଡାଙ୍କ ଉପରକୁ କେହି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ରବିବାର ରାତି ୧୦ଟା ସମୟରେ ଗୋଲଖ ପଣ୍ଡା ପଦାସାହି ଗାଁରୁ ନନ୍ଦନକାନନନ ଛକ ପର୍ୟ୍ୟନ୍ତ ଆସୁଥିଲେ । ଜଗନ୍ନାଥ ମନ୍ଦିର ବସ୍ତି ନିକଟରେ ତାଙ୍କୁ ଏକାଧିକ ଅଚିହ୍ନା ବ୍ୟକ୍ତି ଗାଳିଗୁଲଜ କରିବା ସହିତ ଭୁଜାଲିରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୋଲଖ ପଣ୍ଡାଙ୍କ ମୁଣ୍ଡରେ ଆଘାତ ଲାଗି ପରେ ଗୋଲଖ ପଣ୍ଡା ତଳେ ପଡି ଯାଇଥିଲେ । ଆହତ ଗୋଲଖ ପଣ୍ଡାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ନନ୍ଦନକାନନ ଥାନ ଘଟଣାସ୍ଥଳରେ ପହଞ୍ଚି ଗୋଲଖଙ୍କୁ ହସ୍ପିଟାଲ ପଠାଇବା ସହିତ ଘଟଣାର ଛାନଭିନ ଚାଳାଇଛି ।