ଓଡ଼ିଶାରେ ଧିମେଇ ଯାଇଛି ପିଏମ୍‌ ସୂର୍ଯ୍ୟ ଘର ଯୋଜନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶାରେ ଧିମେଇ ଯାଇଛି ପିଏମ୍‌ ସୂର୍ଯ୍ୟ ଘର ଯୋଜନା । ଯୋଜନାର ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ କେଭିଙ୍କ କଡ଼ା ନିର୍ଦ୍ଦେଶନାମା । ୩ ଲକ୍ଷ ଟାର୍ଗେଟ୍‌ ଦିଆଯାଇଥିବା ବେଳେ ପୂରଣ ହୋଇଛି ମାତ୍ର ୨୦ ହଜାର । ପ୍ରତି ମାସରେ ଅଗ୍ରଗତି ନେଇ ବିତରକ କମ୍ପାନୀଙ୍କ ସହ ସମୀକ୍ଷା ହେବ । ଏହି ଯୋଜନାକୁ ନେଇ ସଚେତନ କରିବେ ବିଲ୍‌ କଲେକ୍ସନ କର୍ମଚାରୀ । ଲୋକଙ୍କୁ ସଚେତନ କରାଯିବା ସହ ଲିଫ୍‌ଲେଟ୍‌ ଓ ପାମ୍ପଲେଟ୍‌ ବଣ୍ଟାଯିବ । ବଳକା ଥିବା ୧ ଲକ୍ଷ ୮୦ ହଜାର ଆବେଦନକୁ ରେଗୁଲାର ମିନିଟରିଂ କରାଯିବ । ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ତେବେ ଅନଲାଇନ୍‌ ଜରିଆରେ ଯେଉଁମାନେ ପିଏମ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ବିତରଣ କମ୍ପାନି ମାନେ ଯୋଗାଯୋଗ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ପିଏମ ସୂର୍ଯ୍ୟ ଘର ଯୋଜନା ମାଧ୍ୟମରେ ରାଜ୍ୟରେ ଗ୍ରୀନ୍ ଏନର୍ଜି ଉପଯୋଗକୁ ପ୍ରୋତ୍ସାହନ ଓ ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ‘ଭିଜନ ୨୦୩୬ ଓ ୨୦୪୭’ର ମହତ୍ୱାକାଂକ୍ଷୀ ଲକ୍ଷ୍ୟକୁ ହାସଲ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା-ମାଗଣା ବିଜୁଳି’ ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ ଖର୍ଚ୍ଚର ୬୦ରୁ ୭୦ ପ୍ରତିଶତ ସବସିଡି ଦେଉଥିବାବେଳେ ଓଡ଼ିଶାରେ ବିଦ୍ୟୁତ ବଂଟନ ବ୍ୟବସ୍ଥା ଦାୟିତ୍ୱରେ ଥିବା ଟାଟା ପାୱାର ଏବେ ଓରେଡ଼ା ସହଭାଗିତାରେ ରାଜ୍ୟରେ ରୁଫଟଫ୍ ସୋଲାର ସ୍ଥାପନ ଦିଗରେ କାର୍ଯ୍ୟ କରୁଛି ।