ପେଟ୍ରୋଲପମ୍ପ ଗୁଡିକୁ ଏକାଥରକେ ୫୦ ଲିଟର ରୁ ଅଧିକ ପେଟ୍ରୋଲ ବିକ୍ରି ମନା…

ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ସମୁଦ୍ର ପଥରେ ତେଲ ଆସି ପାରୁନାହିଁ। ତଥାପି ଆଜି ପର୍ଯ୍ୟନ୍ତ ପେଟ୍ରୋଲ୍‌ ଓ ଡିଜେଲ୍‌ର କୌଣସି ଅଭାବ ଦେଖାଦେଇନାହିଁ। ହେଲେ ନିୟମିତ ବ୍ୟବଧାନରେ ଏଭଳି କିଛି କଟକଣା ସାମନାକୁ ଆସୁଛି, ଯାହା ତେଲବଜାର ଉପରେ ଥିବା ଭିତିରି ଚାପକୁ ପଦାରେ ପକାଇଦେଉଛି। ସେଭଳି ଏକ କଟକଣା ଓଡ଼ିଶାରେ ଲାଗୁ ହୋଇଛି। କୌଣସି ଘରୋଇ କମ୍ପାନି ନୁହେଁ, ବରଂ ସରକାରୀ ତୈଳ କମ୍ପାନିଗୁଡ଼ିକ ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ୍‌ (ଏମ୍‌ଏସ୍‌) ଓ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍‌ ଡିଜେଲ୍ (ଏଚ୍‌ଏସ୍‌ଡି) ବିକ୍ରି ଉପରେ ରୋକ୍‌ ଲଗାଇଛନ୍ତି। ପେଟ୍ରୋଲ ପମ୍ପଗୁଡ଼ିକୁ କଡ଼ା ତାଗିଦ୍‌ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ସବୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଏ ସମ୍ପର୍କରେ ଇଣ୍ଡିଆନ ଅଏଲ୍‌ର ଓଡ଼ିଶା ସିଜିଏମ୍‌ କମଲ ଶୀଲ କହିଛନ୍ତି ଯେ ତେଲ ବିକ୍ରି ଉପରେ କୌଣସି କଟକଣା ନାହିଁ। କେବଳ ମହଜୁଦକାରୀଙ୍କ ଉପରେ ଲଗାମ କଷିବାକୁ ଏକକାଳୀନ ବିପୁଳ ତେଲ ବିକ୍ରି ଉପରେ କଟକଣା ଲଗାଯାଇଥାଇପାରେ। ତାହା ସମ୍ପୂର୍ଣ୍ଣ ରୂପେ କମ୍ପାନିର ଆଭ୍ୟନ୍ତରୀଣ ବ୍ୟାପାର। ପେଟ୍ରୋଲ ପମ୍ପରୁ ବିପୁଳ ତେଲ ଅନ୍ୟତ୍ର ଚାଲି ନଯାଉ ବା ବାଟମାରଣା ନହେଉ, ତାହାକୁ ନିଶ୍ଚିତ କରିବା ପାଇଁ ଏହି କଟକଣା ଲଗାଯାଇଛି। ଏହା‌ ସହ ସାଧାରଣ ଗ୍ରାହକଙ୍କ କୌଣସି ସମ୍ପର୍କ ନାହିଁ। ‌ରାଜ୍ୟରେ ତେଲ ଯୋଗାଣ ସମ୍ପୂର୍ଣ୍ଣ ସ୍ବାଭାବିକ ରହିଛି। ଉଭୟ ପେଟ୍ରୋଲ ଓ ଡିଜେଲ୍ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥିବା ସେ କହିଛନ୍ତି। କୌଣସି ଗାଡ଼ିର ଟାଙ୍କିରେ ଏକକାଳୀନ ୫୦ ଲିଟର ‌ତେଲ କିମ୍ବା ୫୦୦ ଲିଟର ଡିଜେଲ ପଡ଼ିପାରିବ ନାହିଁ। କେବଳ ଟ୍ୟାଙ୍କର ଜରିଆ‌ରେ ଅଧିକ ତେଲ ନେଇ ହେବ। ଟ୍ୟାଙ୍କରରେ ୨୦୦୦ ଲିଟର କିମ୍ବା ୩୦୦୦ ଲିଟର ତେଲ ନେବା ଭଳି ଘଟଣା ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥାଇପାରେ ବୋଲି ‌ସେ କହିଛନ୍ତି।

ଇଣ୍ଡିଆନ ଅଏଲ୍‌ର ଏକ ପେଟ୍ରୋଲ୍‌ ପମ୍ପରେ ଲାଗିଥିବା ନୋଟିସ୍‌ରୁ ତେଲ ବିକ୍ରି ଉପରେ କଟକଣା ଲାଗିଥିବା ଜଣାପଡ଼ିଛି। ଭୁବନେଶ୍ବର ଆର୍‌ଏସ୍‌ଏର ବିକ୍ରି ଅଧିକାରୀଙ୍କ ଦ୍ବାରା ଜାରି ଏହି ନୋଟିସ୍‌କୁ ଗୁରୁତ୍ବପୂର୍ଣ୍ଣ ବୋଲି ଲେଖାଯାଇଛି। ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏକକାଳୀନ ବିପୁଳ ପରିମାଣର ତେଲ ବିକ୍ରିକୁ ଏଡ଼ାଇବାକୁ ପେଟ୍ରୋଲ୍‌ ପମ୍ପମାନଙ୍କୁ କୁହାଯାଇଛି।