ମୁନିଗୁଡା / ରବିନ୍ଦ୍ର କୁମାର ସାହୁ :ରାୟଗଡା ଜିଲ୍ଲା ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଷମ କଟକ ବିଧାୟକ ଯଥା ଅନୁସୂଚୀତଜାତି ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବୈଠକରେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ଆଲୋଚନା ହୋଇଥିଲା। ନିରାମୟ ଯୋଜନାରେ ରୋଗୀଙ୍କୁ ଦିଆଯାଉଥିବା ଔଷଧର ମାନ, ନିଦାନ ଯୋଜନାରେ ବିଭିନ୍ନ ପରୀକ୍ଷା, ନିର୍ମଳ ଯୋଜନାରେ ସ୍ବଚ୍ଛତା ଓ ଖାଲି ପଡିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ, ଭିତ୍ତିଭୂମିର ବିକାଶ, ବହିର୍ବିଭାଗ ସମସ୍ୟା, ବ୍ଲଡ଼ ବ୍ୟାଙ୍କ ସ୍ଥାପନା, ଏକ୍ସରେ ମେସିନ- ଟେକ୍ନିସିଆନ ର ଅଭାବ, ମେଡିକାଲ ଆବର୍ଜନା ପରିଚାଳନା, ଆବଶ୍ୟକ ଫର୍ଣିଚର ଉପକରଣ, ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡ଼ିର ପରିଚାଳନା, ଆବଶ୍ୟକ ଡ୍ରାଇଭର ଅଭାବ ପୂରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଦୀର୍ଘଦିନ ହେବ ମୁନିଗୁଡା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର ଆବଶ୍ୟକତାକୁ କାର୍ଯ୍ୟକ୍ଷମ କରିବା, ଆବଶ୍ୟକ ବିଦ୍ୟୁତକରଣ ଓ ପାନୀୟ ଜଳ ଯୋଗାଣ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଚିକିତ୍ସାଳୟ ମୁଖ୍ୟ ଡଃ.ଶବ୍ୟସାଚି ମହାପାତ୍ର, ସ୍ଵାସ୍ଥ୍ୟ କେନ୍ଦ୍ରର ବିପିଏମ୍ ତପନ କୁମାର ପଣ୍ଡା, ବି.ଡି.ଓ ଶ୍ରୀଯୁକ୍ତ ତନ୍ତ୍ରି, ଆୟୁଷ ଡାକ୍ତର ସୁଚିଶ୍ମିତା ସାହୁ, ଜନ ସ୍ୱାସ୍ଥ୍ୟ ସମ୍ପାସାରଣ ଅଧିକାରିଣୀ ସଂଯୁକ୍ତା ଗୋମାଙ୍ଗ, ସିଡିପିଓ ଡାଳିମ୍ବ ନାୟକ, ସ୍ଵାସ୍ଥ୍ୟ ସୁପର ଭାଇଜର ସୌଦାମିନୀ ମଲ୍ଲିକ, ଏବିଓ ସୁବାସ ସିଂ, ଗ୍ରାମୀଣ ଜଳ ଯୋଗାଣ ଯନ୍ତ୍ରୀ ରମେଶ ମିଞ୍ଜ, ଜନନେତା ଜ୍ୟୋତି ପ୍ରସାଦ ସାହୁ, ବୃନ୍ଦାବନ ପାଢ଼ୀ, ରମେଶ କନ୍ଧପାଣି ପ୍ରମୁଖ ଉପସ୍ଥିତ ଥିଲେ ।