ଫ୍ଲୋରିଡ଼ା: ପବନ ପ୍ରବାହ ବେଗରେ ହଠାତ୍ ପରିବର୍ତ୍ତନ ହେବାରୁ ଆମେରିକାର ଉତ୍ତର କାରୋଲିନାରୁ ଫ୍ଲୋରିଡା ଯାଉଥିବା ଗୋଟାଏ ବିମାନ ଦୋହଲି ଯାଇ ସେଥିରେ ଥିବା କେତେକ ଯାତ୍ରୀ ଓ ବିମାନ କର୍ମଚାରୀ ଆହତ ହୋଇଛନ୍ତି ।
ରିପୋର୍ଟ ଅନୁସାରେ, ଜୁଲାଇ ୧୨ ତାରିଖ ଦିନ ‘ଆଲେଜିଆଣ୍ଟ୍ ଏୟାର୍ଲାଇନ୍ସ୍’ର ୨୨୭ ନମ୍ବର ବିମାନ ଉତ୍ତର କାରୋଲିନାରୁ ଉଡ଼ାଣ ଆରମ୍ଭ କରି ଫ୍ଲୋରିଡାର ସେଣ୍ଟ୍ ପିଟେ-କ୍ଲିଅରୱାଟର୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଅଭିମୁଖେ ଯାଉଥିବା ବେଳେ ଟର୍ବୁଲେନସର ସମ୍ମୁଖୀନ ହୋଇଥିଲା। ଉକ୍ତ ବିମାନରେ ଥିବା ୧୭୯ ଜଣ ଯାତ୍ରୀ ଓ ୬ଜଣ କର୍ମଚାରୀଙ୍କ ମଧ୍ୟରୁ ଏହି ଅଘଟଣରେ ୪ଜଣ ଆହତ ହୋଇଥିଲେ। ଅଘଟଣ ସମୟରେ ଜଣେ ବିମାନ କର୍ମଚାରୀ ଉପରକୁ ଉଠିଯାଇ ବିମାନ ଚଟାଣରେ ପଡ଼ିଯାଇଥିଲେ। ସେହି ସମୟରେ ବିମାନର ଶୌଚାଳୟକୁ ଯାଇଥିବା ଜଣେ ମହିଳା ଯାତ୍ରୀଙ୍କ ମୁଣ୍ଡ ଫାଟି ରକ୍ତ ବାହାରି ଆସିଥିଲା। ୱାସରୁମ୍ ଯାଇଥିବା ଆଉ ଜଣେ ମହିଳାଙ୍କ ଭ୍ରୁଲତା ଚିରି ହୋଇ ରକ୍ତ ବାହାରୁ ଥିଲା।
ଏୟାରଲାଇନ୍ ସୂଚନା ଅନୁସାରେ, ଉକ୍ତ ବିମାନ ନିରାପଦରେ ଅବତରଣ କରିବା ସହିତ ଗେଟ୍ ନିକଟରେ ପହଞ୍ଚିଥିଲା। ଆହତମାନଙ୍କର ଚିକିତ୍ସା ନିମନ୍ତେ ଡାକ୍ତରୀ ଦଳ ସେଠାରେ ଅପେକ୍ଷା କରିଥିଲେ। ୨ଜଣ ଯାତ୍ରୀ ଓ ୨ଜଣ ବିମାନ କର୍ମଚାରୀଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ବନ୍ଧରେ ସବିଶେଷ ତଥ୍ୟ ମଳି ନଥିଲେ ବି କେତେଜଣଙ୍କର ହାଡ଼ ଭାଙ୍ଗିଯାଇଥିବା କୁହାଯାଉଛି।