ପ୍ରତିରକ୍ଷା ଚୁକ୍ତି ନେଇ ଚର୍ଚ୍ଚା ମଧ୍ୟରେ ସାଉଦି ଆରବ ଗସ୍ତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ

ନୂଆଦିଲ୍ଲୀ :ପାକିସ୍ତାନର ପ୍ରଧାନମନ୍ତ୍ରୀ ସେହେବାଜ୍ ସରିଫ୍ ଗୁରୁବାର ଏକ ସରକାରୀ ଗସ୍ତରେ ସାଉଦି ଆରବରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଚୁକ୍ତି ନେଇ ଆନ୍ତର୍ଜାତୀୟ ମଞ୍ଚରେ ଚର୍ଚ୍ଚା ବଢ଼ିଛି। ସୂଚନା ଅନୁସାରେ, ପାକିସ୍ତାନ ଏବଂ ସାଉଦି ଆରବ ଗତ ବର୍ଷ ସେପ୍ଟେମ୍ବର ମାସରେ ଏକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତି ଅନୁଯାୟୀ, ତୃତୀୟ କୌଣସି ଦେଶ ଦ୍ୱାରା ଆକ୍ରମଣ ହେଲେ ଦୁଇ ଦେଶ ପରସ୍ପରକୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏହି ଚୁକ୍ତି ସ୍ୱାକ୍ଷର ହେବା ସମୟରେ ଇସ୍ରାଏଲ୍ କତାରରେ ହମାସ୍ ନେତାମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିବା ଘଟଣା ଆନ୍ତର୍ଜାତୀୟ ମଞ୍ଚରେ ଚର୍ଚ୍ଚାର କାରଣ ହୋଇଥିଲା। ଏହାର ଏକ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିଦେଶୀ ଗଣମାଧ୍ୟମ ମୁଖପାତ୍ର ମୋଶାରଫ ଜୈଦି କହିଥିଲେ ଯେ “ଆବଶ୍ୟକତା ପଡ଼ିଲେ ପାକିସ୍ତାନ ସାଉଦି ଆରବ ସହିତ ଦୃଢ଼ଭାବେ ଦାଢ଼ି ହେବ।” ତେବେ ସମ୍ପ୍ରତି United States ଓ Israel ଦ୍ୱାରା Iran ଉପରେ ସମନ୍ୱିତ ଆକ୍ରମଣ ଆରମ୍ଭ ହେବା ପରେ ପଶ୍ଚିମ ଏସିଆର ପରିସ୍ଥିତି ଆହୁରି ସଙ୍କଟପୂର୍ଣ୍ଣ ହୋଇଯାଇଛି। ଏହାର ପରିଣାମରେ ଉପସାଗର ଅଞ୍ଚଳରେ ତଣାତଣି ବଢ଼ିଛି। ଇରାନ ସହ ପାକିସ୍ତାନର ଭଲ ସମ୍ପର୍କ ଓ ଭୌଗୋଳିକ ନିକଟତାକୁ ଦୃଷ୍ଟିରେ ରଖି ସାଉଦି ଆରବ ପ୍ରତି ଏହି ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ ପାକିସ୍ତାନ କିପରି ପଦକ୍ଷେପ ନେବ ତାହା ନେଇ ଏବେ ଆନ୍ତର୍ଜାତୀୟ ମଞ୍ଚରେ ଅସ୍ପଷ୍ଟତା ଓ ଚର୍ଚ୍ଚା ସୃଷ୍ଟି ହୋଇଛି।