ଇସଲାମାବାଦ : ପାକିସ୍ତାନରେ ପୁଣି ଥରେ ସୃଷ୍ଟି ହୋଇଛି ରାଜନୈତିକ ଅସ୍ଥିରତା । ମନି ଲଣ୍ଡରିଂ ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା । ଅନାସ୍ଥା ପ୍ରସ୍ତାବରେ ହରିବା ପରେ ପ୍ରଧାନମନ୍ତ୍ରୀ ପଦ ହରାଇଥିବା ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଜାମିନ ଅବଧି ଶେଷ ହେବା ପରେ ଇମ୍ରାନ ଖାନଙ୍କୂ ଗିରଫ କରାଯିବ ବୋଲି ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସାନାଉଲ୍ଲା କହିଛନ୍ତି । ସୂଚନାଯୋଗ୍ୟ ଇମ୍ରାନଙ୍କ ନାମରେ ଦଙ୍ଗା, ଦେଶଦ୍ରୋହ ପରି ୨୪ଟି ମାମଲା ରହିଛି । ଏକାଧିକ ମାମଲାରେ ଜଡ଼ିତ ଥିବା ଇମ୍ରାନଙ୍କୁ ପେଶାୱାର ହାଇକୋର୍ଟ ଗତ ୨ତାରିଖରେ ୩ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି । ଏହି ଅବଧି ଶେଷ ହେବା ପରେ ତାଙ୍କୁ ଗିରଫ କରିବା ପାଇଁ ସୁରକ୍ଷାକର୍ମୀ ମାନେ ଅପେକ୍ଷା କରି ରହିଛନ୍ତି ।
ଅନ୍ୟପକ୍ଷରେ ପାକିସ୍ତାନ ମୁସଲିମ ଲିଗର ଅଭିଯୋଗ ଅନୁସାରେ, ୨୦୧୯ରେ ଶାସନ ଗାଦିକୁ ଆସିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବେଆଇନ ଭାବେ ବ୍ୟାପକ ଅର୍ଥ କାରବାର କରିଛନ୍ତି । ଏଥିରେ ତାଙ୍କର ପତ୍ନୀ ବୁଶରା ବିବି ଏବଂ ତାଙ୍କ ସାଙ୍ଗ ଫାରା ଗୋଗୀ ସହଯୋଗ କରିଥିବା କୁହାଯାଉଛି । ଏଥିସହିତ ଫାରାଙ୍କ ସ୍ୱାମୀ ଜମିଲ ଗୁଜ୍ଜର ଇମ୍ରାନ ଖାନଙ୍କୁ ୩୨୦ ମିଲିୟନ ପାକିସ୍ତାନ ମୁଦ୍ରା ଦେଇଥିବା ଅଭିଯୋଗ ହୋଇଛି । ଫଳରେ ଏସମସ୍ତ ଅଭିଯୋଗକୁ ନେଇ ଇମ୍ରାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ଜାମିନ ଅବଧି ଶେଷ ହେବା ପରେ ଇମ୍ରାନଙ୍କୁ ଗିରଫ କରାଯିବ ବୋଲି ସାହାବାଜ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।