HRMS ପୋର୍ଟାଲରେ ଜାଲ୍ ବିଲ୍ କରି ୩.୦୩ କୋଟି ଟଙ୍କା ହଡ଼ପ, ଡେରାବିଶ ବ୍ଲକ୍‌ର ବରିଷ୍ଠ ରାଜସ୍ୱ ସହାୟକ ଗିରଫ

ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସକୁ ବଡ଼ ସଫଳତା ମିଳିଛି। ୩ କୋଟି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅର୍ଥ ତୋଷରପାତ ମାମଲାରେ ଡେରାବିଶ ବ୍ଲକ୍‌ର ବରିଷ୍ଠ ରାଜସ୍ୱ ସହାୟକ (SRA) ଶଶିକାନ୍ତ ରଣାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଦୀର୍ଘଦିନ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଡିଜିଟାଲ୍ ଟ୍ରାକିଂ ମାଧ୍ୟମରେ ଠାବ କରାଯାଇଥିବା ସୂଚନା ମିଳିଛି।

ଭିଜିଲାନ୍ସର ତଦନ୍ତ ଅନୁଯାୟୀ, ଅଭିଯୁକ୍ତ ଶଶିକାନ୍ତ ରଣା ଦୁଇଟି ବ୍ଲକ୍‌ରେ କାର୍ଯ୍ୟରତ ଥିବା ସମୟରେ ସରକାରୀ ଅର୍ଥ ହଡ଼ପ କରିଥିବା ଜଣାପଡ଼ିଛି। ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍‌ର ଦାୟିତ୍ୱରେ ଥାଇ ସେ ଦରମା, ବକେୟା ଦରମା ଓ ପେନସନ୍ ଆଦି ପ୍ରକ୍ରିୟାକରଣ କରୁଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ରାଜକନିକା ବ୍ଲକ୍‌ରେ ୩୦ ଅଗଷ୍ଟ ୨୦୨୩ରୁ ୪ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟରତ ଥିବା ସମୟରେ ୧ କୋଟି ୪୬ ଲକ୍ଷ ୬୮ ହଜାର ୧୧୮ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଡେରାବିଶ ବ୍ଲକ୍‌ରେ ୭ ଜାନୁଆରୀ ୨୦୨୫ରୁ ୧୩ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ୧ କୋଟି ୫୬ ଲକ୍ଷ ୯୭ ହଜାର ୭୨୫ ଟଙ୍କାର ଅର୍ଥ ତୋଷରପାତ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଏହିପରି ମୋଟ ୩ କୋଟି ୩ ଲକ୍ଷ ୬୫ ହଜାର ୮୪୩ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ରହିଛି।

ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଜଣକ HRMS ପୋର୍ଟାଲରେ ଜାଲ୍ ବିଲ୍ ପ୍ରସ୍ତୁତ କରି ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାମରେ ଦରମା, ଗ୍ରାଚ୍ୟୁଇଟି, ଅବ୍ୟବହୃତ ଛୁଟି ବାବଦ ଅର୍ଥ ଓ ପେନସନ୍ ଟଙ୍କା ଉଠାଇଥିଲେ। ଏଥିପାଇଁ ସେ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ବଦଳରେ ନିଜ ଓ ପରିବାର ସଦସ୍ୟଙ୍କ ସମେତ ଜଣେ ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତା ନମ୍ବର ବ୍ୟବହାର କରିଥିବା ଜଣାପଡ଼ିଛି। ଏହି ଖାତାଗୁଡ଼ିକ SBI, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ୍ ବ୍ୟାଙ୍କରେ ଥିବା ବେଳେ NEFT ମାଧ୍ୟମରେ ଟଙ୍କା ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ରହିଛି।

ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ଗିରଫ ପରେ ତାଙ୍କୁ କଟକ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।