ନୂଆ ଦିଲ୍ଲୀ: ଖାଉଟି ଉପରେ ମହଙ୍ଗା ମାଡ଼ । କନ୍ଦାଇବ ପିଆଜ । ଟମାଟୋ ପରେ ଏବେ ଲୋକଙ୍କୁ କନ୍ଦାଇବ ପିଆଜ ଦର । ଚଳିତ ମାସ ଶେଷ ସୁଦ୍ଧା ପିଆଜ ଦର 70କୁ ଛୁଇଁପାରେ ବୋଲି ଆକଳନ କରାଯାଉଛି । ଦେଶରେ ଟମାଟୋ ଦର ଆକାଶ ଛୁଆଁ ହୋଇଛି । ଟମାଟୋ କିଲୋ କେଉଁଠି ୧୨୦ଟଙ୍କାରେ ବିକ୍ରି ହେଉଛି ତ ଆଉ କେଉଁଠି ୨୦୦ଟଙ୍କାରେ ବିକ୍ରି ହେଉଛି । ଆଉ ଏବେ ପିଆଜ ଦର ବଢିବା ନେଇ ଆକଳନ କରାଯାଉଛି । ଅଗଷ୍ଟ ମାସ ଶେଷ ସୁଦ୍ଧା ବଜାରରେ ପିଆଜ ଦରର ମୂଲ୍ୟ ଅହେତୁକ ବୃଦ୍ଧି ହୋଇପାରେ । ପିଆଜର ଆମଦାନୀ କମ୍ ହୋଇଥିବାରୁ ଦର ବୃଦ୍ଧି ହୋଇପାରେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ପିଆଜ କିଲୋ ୬୦ରୁ ୭୦ଟଙ୍କା ବୃଦ୍ଧି ହୋଇପାରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।
ଅନ୍ୟପଟେ ପରିବା ବଜାରରେ ନିଆଁ । ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ବର୍ଷା ଓ ବନ୍ୟା କାରଣରୁ ଅନେକ ଫସଲ ନଷ୍ଟ ମଧ୍ୟ ହୋଇଛି । 5ଶହ ଟଙ୍କାରେ ବି ଭର୍ତ୍ତି ହେଉନି ବ୍ୟାଗ । କନ୍ଦାଉଛି ପରିବା, ଖାଲି କରୁଛି ପକେଟ୍ । ମହଙ୍ଗାର ସିଧା ପ୍ରଭାବ ହାଣ୍ଡିଶାଳ ଉପରେ ପଡିଛି । କଣ ରାନ୍ଧିବେ ଗୃହିଣୀ ତାକୁ ନେଇ ଚିନ୍ତାରେ ପଡିଛନ୍ତି । ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏବେ ହାଟ ବଜାର ଯିବାକୁ ଡରୁଛନ୍ତି । ବଜାର ଗଲେ କଣ କିଣିବେ ତାକୁ ନେଇ ଚିନ୍ତାରେ ପଡୁଛନ୍ତି । ଅନ୍ୟପଟେ ବନ୍ୟା ସ୍ଥିତି ଯୋଗୁ କଳାବଜାରି ହେଲେ ଦର ଆହୁରି ବଢିବାରେ ଆଶଙ୍କା କରାଯାଉଛି ।