ନିମିଶା ପ୍ରିୟାଙ୍କୁ ବଡ଼ ଆଶ୍ବସ୍ତି, ସ୍ଥଗିତ ରହିଲା ଫାଶୀ

ୟେମେନ ଜେଲରେ ବନ୍ଦୀ ଥିବା ନିମିଶା ପ୍ରିୟାଙ୍କୁ ବଡ଼ ଆଶ୍ବସ୍ତି । ଗୋଟାଏ ଦିନ ପରେ ହୋଇଥାଆନ୍ତା ପାଶୀ, କିନ୍ତି ଫାଶୀକୁ ସ୍ଥଗିତ ରଖାଯାଇଛି । ଏନେଇ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂତ୍ର ଅନୁସାରେ, ଗ୍ରାଣ୍ଡ ମୁଫତି ଆବୁବାକର ଅହମ୍ମଦ ନିମିଶା ମାମଲାରେ ପୀଡିତ ଆବଦୋ ମହଦିଙ୍କ ପରିବାର ସହିତ କଥାବାର୍ତ୍ତା କରୁଛନ୍ତି। ପ୍ରଥମ ଦିନର ଆଲୋଚନା ସକାରାତ୍ମକ ଥିଲା, ଯାହା ଫଳରେ ଆହୁରି ଆଲୋଚନା ପାଇଁ ସୁଯୋଗ ରହିଛି। ଏହାକୁ ଦୃଷ୍ଟିରେ ରଖି, ଫାଶୀ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ୟେମେନର ନ୍ୟାୟ ବିଭାଗ ପୂର୍ବରୁ ଜେଲ କର୍ତ୍ତୃପକ୍ଷଙ୍କୁ ଜୁଲାଇ ୧୬ ତାରିଖରେ ନିମିଶା ପ୍ରିୟାକୁ ଫାଶୀ ଦେବାକୁ ଅନୁରୋଧ କରିଥିଲା। ନିମିଶାଙ୍କ ବିରୋଧରେ ତାଙ୍କ ବ୍ୟବସାୟିକ ସହଯୋଗୀ ଆବଡୋ ମାହଦିଙ୍କୁ ହତ୍ୟା କରିବାର ଅଭିଯୋଗ ରହିଛି। ୨୦୦୮ ମସିହାରେ କେରଳରୁ ୟେମେନ ଆସିଥିବା ନିମିଶା ପ୍ରିୟାଙ୍କ ବିରୋଧରେ ୨୦୧୭ ମସିହାରେ ତଲାଲ ଆବଦୋ ମହଦିଙ୍କୁ ହତ୍ୟା ଅଭିଯୋଗ ଆସିଥିଲା। ସେବେଠାରୁ ନିମିଶା ୟେମେନର ସାନା ଜେଲରେ ବନ୍ଦୀ ଅଛନ୍ତି। ଚଳିତ ବର୍ଷ ଆରମ୍ଭରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଚଳିତ ମାସରେ ଫାଶୀଦଣ୍ଡର ତାରିଖ ମଧ୍ୟ ଘୋଷଣା କରାଯାଇଥିଲା।

ଏହା ପରେ, ନିମିଶାଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ ତୀବ୍ରତର ହୋଇଥିଲା। ନିମିଶା ପ୍ରିୟା ଇଣ୍ଟରନ୍ୟାସନାଲ କାଉନସିଲ ନାମକ ଏକ ସଂଗଠନ ଗଠନ କରାଯାଇଛି। ପ୍ରକୃତରେ, ୟେମେନରେ ଶରିଆ ଆଇନ ଅନୁଯାୟୀ, କୁହାଯାଏ ଯେ ପୀଡିତଙ୍କ ପରିବାର ଚାହିଁଲେ, ସେମାନେ ଟଙ୍କା ନେଇ ଅପରାଧୀକୁ କ୍ଷମା କରିପାରିବେ। କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କଠାରୁ ଆରମ୍ଭ କରି ଗ୍ରାଣ୍ଡ ମୁଫତି ଆବୁବାକର ଅହମ୍ମଦ ଏବଂ ନିମିଶାଙ୍କ ପରିବାର ପର୍ଯ୍ୟନ୍ତ ସମସ୍ତେ ନିମିଶାଙ୍କୁ ରକ୍ଷା କରିବା ପାଇଁ ସକ୍ରିୟ ଅଛନ୍ତି। ନିମିଶାଙ୍କ ମାଆ ଦୀର୍ଘ ସମୟ ଧରି ୟେମେନରେ ଅଛନ୍ତି। ଭାରତ ସରକାର ନିରନ୍ତର ୟେମେନ ସହିତ କୂଟନୈତିକ ସମ୍ପର୍କ ବଜାୟ ରଖିଥିଲା, ଯାହା ଫଳରେ ନିମିଶାଙ୍କୁ ମୃତ୍ୟୁଦଣ୍ଡର ନିର୍ଦ୍ଧାରିତ ସମୟ ପୂର୍ବରୁ ଆଶ୍ୱସ୍ତି ଦିଆଯାଇଥିଲା।