ଟାର୍ଗେଟ୍‌ରେ ସାମ୍ବାଦିକ ନ ଥିଲେ : ସିପିଆଇ ମାଓ ସଂଗଠନ

(ରିପୋର୍ଟସ ଟୁଡେ) : ଛତିଶଗଡ଼ ଦନ୍ତେୱାଡ଼ାରେ ମାଓବାଦୀଙ୍କ ଆକ୍ରମଣରେ ଦୂରଦର୍ଶନର ଜଣେ ଓଡ଼ିଆ ସାମ୍ବାଦିକ ଓ ଦୁଇ ଜଣ ଯବାନଙ୍କ ଶହୀଦ ପରେ ଏବେ ମାଓ ସଂଗଠନ ସାମ୍ନାକୁ ଆସିଛି । ଏଭଳି ଏକ ହୃଦୟଥରା ଘଟଣାର ଚାରି ଦିନ ପରେ ସଫେଇ ଦେଇଛି ମାଓ ସଂଗଠନ । ମାଓବାଦୀଙ୍କ ଟାର୍ଗେଟରେ ସାମ୍ବାଦିକ ନ ଥିଲେ ବୋଲି ସିପିଆଇ ମାଓ ସଂଗଠନ ପକ୍ଷରୁ ଏକ ଚିଠି ଜାରି କରାଯାଇଛି । ଗତ ୩୦ ତାରିଖ ଦିନ ଦନ୍ତେୱାଡ଼ାରେ ନିର୍ବାଚନୀ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଡିଡି ନ୍ୟୁଜ୍‌ର ତିନି ଜଣିଆ ଟିମ୍‌ର ଗାଡ଼ି ଏକ ଆମ୍ବୁସ୍‌ ମଧ୍ୟରେ ଫସି ଯାଇଥିଲା । ଏହି ସମୟରେ ମାଓବାଦୀମାନେ ଅତର୍କିତ ଗୁଳି ବର୍ଷା କରିଥିଲେ । ଯେଉଁଥିରେ ଓଡ଼ିଶାର ଅଚ୍ୟୁତାନନ୍ଦ ସାହୁଙ୍କ ସହିତ ତାଙ୍କୁ ସୁରକ୍ଷା ଦେଉଥିବା ପୋଲିସ କର୍ମୀ ରୁଦ୍ର ପ୍ରତାପ ଓ ମଙ୍ଗଲୁ ଶହୀଦ ହୋଇଥିଲେ । ତେବେ ଏହି ହମ୍‌ଲାକୁ ନେଇ ମାଓ ସଂଗଠନ କହିଛି କି ତାଙ୍କ ଟାର୍ଗେଟ୍‌ରେ ସାମ୍ବାଦିକ ନ ଥିଲେ । ଆମ୍ବୁସରେ ଫସି ଯିବାରୁ ଏପରି ଘଟିଛି । ଏହି ଘଟଣାର କିଛି ଦିନ ପୂର୍ବରୁ ମାଓ ସଂଗଠନ କହିଥିଲା ଯେ ମାଓବାଦୀଙ୍କ ପକ୍ଷରୁ ସାମ୍ବାଦିକଙ୍କୁ କୌଣସି ବିପଦ ନାହିଁ ।