ବେଆଇନ ଗଛ କଟା ମାମଲାରେ ଜିଲ୍ଲାପାଳ ଓ ଡିଏଫଓଙ୍କୁ ଜାତୀୟ ଜନଜାତି ଆୟୋଗଙ୍କ ନୋଟିସ

ବଣେଇ /ରଞ୍ଜିତ କୁମାର ବାଗ: ଜିଲ୍ଲାପାଳ ଏବଂ ବଣେଇ ଡିଏଫଓଙ୍କୁ ଜାତୀୟ ଜନଜାତି ଆୟୋଗଙ୍କ ନୋଟିସ । ପନ୍ଦର ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ କମିଶନଙ୍କ ନିର୍ଦ୍ଦେଶ । ସୁନ୍ଦରଗଡ଼ ଜିଲ୍ଲା ଭୁତୁଡ଼ା ପଂଚାୟତ ଖଣ୍ଡାଧାରରେ ଥିବା ଓଏମସି କମ୍ପାନୀର ବେଆଇନ ଗଛ କଟାକୁ ନେଇ ସ୍ଥାନୀୟ ପ୍ରାଭାବିତ ଲୋକେ ଓ ସରପଞ୍ଚ ବାସନ୍ତୀ ମୁଣ୍ଡା ବିରୋଧ କରିଥିଲେ କାରଣ ଭୁତୁଡ଼ା ପଂଚାୟତ ଏକ ଆଦିବାସି ବହୁଳ ଅଞ୍ଚଳ ଏବଂ ପଞ୍ଚମ ଅନୁସୂଚିତ ଥିବାରୁ ଏ ଅଞ୍ଚଳରେ ଭାରତୀୟ ସମ୍ବିଧାନର ଧାରା ୩୯ (ଇ), ୨୪୩ (ଈ) ଓ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ଏ ଅଂଚଳରେ କୌଣସି ଉନ୍ନତି ମୂଳକ କାମ ହେଲେ ପ୍ରଥମେ ଗ୍ରାମସଭା ହେବା କଥା, ଜନ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ଦରକାର । ଅର୍ଥାତ ଗ୍ରାମସଭା ମଞ୍ଜୁରୀ ଅନିର୍ବାଜ୍ୟ । କିନ୍ତୁ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା, କୌଣସି ଗ୍ରାମସଭା ନ କରି ଗ୍ରାମସଭା ମଞ୍ଜୁରୀ ନ ନେଇ ବେଧଡକ ଭାବେ ହଜାର ହଜାର ମୂଲ୍ୟବାନ ଗଛ କାଟି ପଦା କରିଦେଲା କମ୍ପାନୀ । ସରପଞ୍ଚ ଓ ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ଅଭିଯୋଗ ପରେ ଓ ଏମ ସି କମ୍ପାନୀ ପୋଲିସ ଵଳ ଲଗେଇ ଭୟଭିତ କରି ଲୋକଙ୍କ ମୁହଁ ବନ୍ଦ କରିଥିଲା ।

ଏହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପାଖରେ ଦରଖାସ୍ତ ମାଧ୍ୟମରେ ଅଭିଯୋଗ ପରେ ଅଭିଯୋଗ କଲେ ଖୋଦ ସରପଞ୍ଚ ଓ ପଂଚାୟତ ବାସୀ । ହେଲେ ନାଁ ଗଛ କଟା ବନ୍ଦ ହେଲା ନା କମ୍ପାନି ବିରୁଦ୍ଧରେ କୌଣସି ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଗଲା । ଯାହାକୁ ନେଇ ସରପଞ୍ଚ ବାସନ୍ତୀ ମୁଣ୍ଡା ଚଳିତ ବର୍ଷ ଏପ୍ରିଲ ଚବିଶ ତାରିଖରେ ଜାତୀୟ ଜନଜାତି ଆୟୋଗଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ ଯାହାକୁ ନେଇ ଚଳିତ ବର୍ଷ ଜୁନ ୨୭ ତାରିଖରେ ଜନଜାତି ଆୟୋଗ ସୁନ୍ଦରଗଡ଼ ଜିଲ୍ଲାପାଳ ଗଭାଲି ପରାଗ ହର୍ଷଦ ଏବଂ ବଣେଇ ଡିଏଫଓ ସନଥ କୁମାର ଏନଙ୍କୁ ପନ୍ଦର ଦିନ ମଧ୍ୟରେ ଘଟଣାର ରିପୋର୍ଟ ଦେବାପାଇଁ କମିଶନ ଚିଠି ମାଧ୍ୟମରେ ନିର୍ଦ୍ଧେଷ ଦେଇଥିବା ସୂଚନା ମିଳିଛି ।