“ରଥଯାତ୍ରା ସମୟରେ ଭକ୍ତଙ୍କୁ ବଣ୍ଟାହେବ ୧୦ ଲକ୍ଷ ମାସ୍କ” : ସ୍ଵାସ୍ଥ୍ୟମନ୍ତ୍ରୀ
ରଥଯାତ୍ରା ବେଳେ ଔଷଧ ନିଗମ ପକ୍ଷରୁ ଭକ୍ତଙ୍କ ମଧ୍ୟରେ ବଣ୍ଟାହେବ ୧୦ ଲକ୍ଷ ମାସ୍କ।
(ଭୁବନେଶ୍ୱର) : ରଥଯାତ୍ରା ବେଳେ ଔଷଧ ନିଗମ ପକ୍ଷରୁ ଭକ୍ତଙ୍କ ମଧ୍ୟରେ ବଣ୍ଟାହେବ ୧୦ ଲକ୍ଷ ମାସ୍କ। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ। ସେ କହିଛନ୍ତି ଯେ, ସେବାୟତମାନଙ୍କୁ ଦିଆଯାଇଛି ବୁଷ୍ଟର ଡୋଜ୍। କୋଭିଡ୍ ପାଇଁ ଅକ୍ସିଜେନ୍ ସହିତ ୨୦ଟି ଆଇସିୟୁ ବେଡ୍ ପ୍ରସ୍ତୁତ ହୋଇ ରହିବ। ସମ୍ ହସ୍ପିଟାଲରେ ସମସ୍ତ ପ୍ରସ୍ତୁତି ହୋଇଛି। ଷ୍ଟ୍ରେଚର, ଆମ୍ଵୁଲାନ୍ସ, ଆଡଭାନ୍ସ ଆଣ୍ଡ ବେସିକ୍ ଲାଇଫ୍ ସପୋର୍ଟ, ଆମ୍ଵୁଲାନ୍ସ ସବୁ ପ୍ରସ୍ତୁତ ହୋଇ ରହିଛି। ଏତଦ୍ ବ୍ୟତୀତ ୨୦ ଜଣ ଫୁଡ୍ ଇନ୍ସପେକ୍ଟରଙ୍କୁ ମୁତୟନ କରାଯାଇଛି। ସେମାନେ ବିଭିନ୍ନ ସ୍ଥାନକୁ ବୁଲି ଖାଦ୍ୟ ପଦାର୍ଥ ଯାଞ୍ଚ୍ କରିବେ।
ସେ ଆହୁରି କହିଛନ୍ତି , ଓଆରଏସ୍ ମହଜୁଦ୍ ରହିଛି। ଆଣ୍ଟିଜେନ୍ ଟେଷ୍ଟ ବ୍ୟବସ୍ଥା ରହିବ। ସ୍ଵାସ୍ଥ୍ୟ ମନ୍ତ୍ରୀ, ସ୍ଵାସ୍ଥ୍ୟ ବିଭାଗର ସମସ୍ତ ନିର୍ଦ୍ଦେଶକ ଏହା ଉପରେ ତୀକ୍ଷ୍ଣ ନଜର ରଖିବେ। ସବୁ ଲୋକ କିଭଳି ଭାବରେ ଶୃଙ୍ଖଳାର ସହ ଦର୍ଶନ କରିପାରିବେ ସେନେଇ ବ୍ୟବସ୍ଥା କରାଯାଇଛି। ଲୋକମାନଙ୍କୁ ସଚେତନ କରାଯାଇଛି। ଲକ୍ଷଣ ଥିଲେ ପୁରୀ ଯାଆନ୍ତୁ ନାହିଁ। ଘରେ ରହି ଦର୍ଶନ କରନ୍ତୁ। ସମସ୍ତେ କୋଭିଡ ନିୟମ ମାନନ୍ତୁ। ଜନସାଧାରଣଙ୍କ ସହଯୋଗରେ କୋଭିଡ ମୁକାବିଲା କରାଯାଇଛି।
ସୂଚନାନୁଯାୟୀ , ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ମିଟର । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୫ ଜଣ ସଂକ୍ରମିତ ରହିଛନ୍ତି ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୪୪୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।