ବ୍ୟବସାୟୀଙ୍କୁ ଗୁଳି କରି ହୀରା ପଥର ଲୁଟ

(ପ୍ରିୟଦର୍ଶନୀ ସ୍ୱାଇଁ): ବ୍ୟବସାୟୀଙ୍କୁ ଗୁଳି କାଣ୍ଡ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଚିକିଟି ଅଞ୍ଚଳରେ । ଜଣେ ହୀରା ପଥର ବ୍ୟବସାୟୀଙ୍କୁ ଗୁଳି କରି ହୀରା ପଥର ଲୁଟି ନେଇଥିବା ଜଣା ପଡ଼ିଛି । କେ.ନୂଆଗାଁ ଥାନା ଅନ୍ତର୍ଗତ ବୀରସିଂହ ଲକ୍ଷ୍ମୀନାରାୟଣପୁରଠାରେ ଘଟିଛି ଏହି ଗୁଳିକାଣ୍ଡ। ସୁବାସ ଚନ୍ଦ୍ର ପଣ୍ଡା ନାମକ ଜଣେ ବ୍ୟବସାୟୀଙ୍କ ମୁଣ୍ଡରେ ଗୁଳି ବାଜିଛି। ଆହତ ସୁବାସଙ୍କୁ ପ୍ରଥମେ ଚିକିଟି ମେଡିକାଲ ଓ ପରେ ସଂକଟାପନ୍ନ ଅବସ୍ଥାରେ ବ୍ରହ୍ମବପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ୩ଟି ବାଇକ୍‌ରେ ଆସିଥିବା ୬ରୁ ୮ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗ୍ରାମବାସୀ କାବୁ କରି ରଖିଛନ୍ତି। ଗୁଳିକାଣ୍ଡର କାରଣ ପୁଲିସ ସ୍ପଷ୍ଟ କରି ନ ଥିବା ବେଳେ ବ୍ୟାବସାୟିକ କାରଣକୁ ନେଇ ଏହି ଗୁଳିମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଆଶଙ୍କା କରୁଛି। ପୁଲିସ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିବା ବେଳେ ଗୁଳିମାଡର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ମାଧବାନନ୍ଦ ବେ‌ହେରା ସୂଚନା ଦେଇଛନ୍ତି।