କେନ୍ଦ୍ରାପଡ଼ା:- ଭିତରକନିକା ଜଙ୍ଗଲରେ ନିଖୋଜ ହୋଇଗଲେ ମା’-ପୁଅ । ନିଖୋଜ ଦୁଇ ଜଣ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗାଁ’ର ଅଞ୍ଜନା ମିର୍ଦ୍ଧା ଓ ପୁଅ ରତିନ୍ଦ୍ର ମିର୍ଦ୍ଧା । ଗତ ବୁଧବାର କଙ୍କଡ଼ା ଧରିବାକୁ ଯାଇ ମାଆ ଓ ୧୮ ବର୍ଷୀୟ ପୁଅ ନିଖୋଜ ହୋଇଯାଇଛନ୍ତି । ଗାଁର ଅହଲ୍ୟା ମଣ୍ଡଳ ଏବଂ ତାଙ୍କ ପୁଅ ଚନ୍ଦ୍ର ମଧ୍ୟ ସେମାନଙ୍କ ସହିତ ଭିତରକନିକା ଜାତୀୟ ଉଦ୍ୟାନର ହାବଳ ଫରେଷ୍ଟ ବ୍ଲକ୍ ମଧ୍ୟକୁ କଙ୍କଡ଼ା ଧରିବା ପାଇଁ ଯାଇଥିଲେ । ସନ୍ଧ୍ୟାରେ ଅହଲ୍ୟା ଓ ଚନ୍ଦ୍ର ଘରକୁ ଫେରିଆସିଥିଲା ବେଳେ ଅଞ୍ଜନା ଓ ତାଙ୍କ ପୁଅ ଫେରି ନ ଥିଲେ। ସେବେଠାରୁ ପରିବାର ଓ ଗ୍ରାମବାସୀ ଜଙ୍ଗଲରେ ଖୋଜାଖୋଜି ଚଳାଇଥିଲେ ।
ତେବେ ଗତକାଲି ଏ ନେଇ ବନ ବିଭାଗ ଖବର ପାଇ ଆଜି ସକାଳୁ ୧୦ରୁ ଅଧିକ ବନ ବିଭାଗ କର୍ମଚାରୀ ନିଖୋଜ ମା’-ପୁଅଙ୍କୁ ଖୋଜାଖୋଜି କରିଥିଲେ । ଖୋଜାଖୋଜିରେ ତାଳଚୁଆ ସାମୁଦ୍ରିକ ଥାନାର ଡ୍ରୋନ କ୍ୟାମେରା ବ୍ୟବହାର ହୋଇଥିବା ବେଳେ ମା’-ପୁଅଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି ।