ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଫାଟକ ଆଗରେ ଉଡିଲା ଟଙ୍କା
ଚିରା ଫଟା ନୋଟ ବଦଳାଇବାକୁ ବ୍ୟାଙ୍କ ମନା କରିବାରୁ ଗ୍ରାହକ ରାଗି ଉଡାଇଲେ ଟଙ୍କା
ଭୁବନେଶ୍ୱର : ଆରବିଆଇ ସାମନାରେ ଉଡ଼ିଲା ଟଙ୍କା | ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଟଙ୍କା ବଦଳ ପାଇଁ ଆସିଥିବା କିଛି ଗ୍ରାହକ ଫାଟକ ଆଗରେ ନୋଟ୍ ଉଡ଼ାଉଥିବା ଦେଖିବାକୁ ମିଳିଥିଲା | ଚିରା ଫଟା ନୋଟ ବଦଳାଇବାକୁ ଗ୍ରାହକ ଆଣିଥିଲେ, ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରହଣ ନକରିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି | ଖାରବେଳ ନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାହକଙ୍କୁ ବୁଝାସୁଝା କରିଥିଲା | ତେବେ ଚିରା ଫଟା ନୋଟ ବଦଳାଇବା ବ୍ୟବସ୍ଥା ଥିବାବେଳେ ଗ୍ରାହକ କାହିଁକି ଗ୍ରହଣ କରିବାକୁ ମନା କଲେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଆରବିଆଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ |
ବ୍ୟାଙ୍କକୁ ନୋଟ ବଦଳାଇବାକୁ ଯାଇଥିବା ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ, ଆଜି କିଛି ଗ୍ରାହକ ବ୍ୟାଙ୍କକୁ ନିଜ ପାଖରେ ଥିବା ଚିରାଫଟା ନୋଟ ବଦଳାଇବାକୁ ଯାଇ ଲାଇନ୍ରେ ଛିଡ଼ା ହୋଇଥିଲେ | ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ୍କୁ ଗ୍ରହଣ ନ କରିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି | ଏନେଇ ପଚାରିବାରୁ ଗତ ୩ ତାରିଖରୁ ପୁରୁଣା ନୋଟ୍ ବଦଳ କାଉଣ୍ଟର ବନ୍ଦ ଥିବା କର୍ତ୍ତୃପକ୍ଷ କହିଛନ୍ତି | ତେବେ ଏନେଇ ଲିଖିତ ଭାବେ କିଛି ବାହାରି ନ ଥିବା ବେଳେ ଗଣମାଧ୍ୟମରେ ବି ଏ ସଂକ୍ରାନ୍ତୀୟ ଖବର ପ୍ରକାଶିତ ହୋଇନି | ତେଣୁ ପ୍ରତିଦିନ ୨ଶହରୁ ୩ ଶହ ଲୋକ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଫେରୁଛନ୍ତି |