ପାର୍ବଣ ସମୟରେ ସତର୍କ ରହିବାକୁ ମୋଦିଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ଚାଲିଛି ପାର୍ବଣର ଋତୁ । ଏହି ସମୟରେ ସତର୍କ ରହିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ମୋଦିଜି ସତର୍କ ବାଣୀ କରିଛନ୍ତି । ଦେଶରେ ପର୍ବପର୍ବାଣୀକୁ ନେଇ ଏବେ ଉତ୍ସାହର ବାତାବରଣ ଜାରି ରହିଛି । ତେବେ କୋରୋନା ମହାମାରୀ ବିପକ୍ଷରେ ହେଉଥିବା ମହାଯୁଦ୍ଧ ଏବେ ବି ଶେଷ ହୋଇନି । କିନ୍ତୁ ଯେପର୍ଯ୍ୟନ୍ତ ଯୁଦ୍ଧ ଶେଷ ହୋଇନି, ସେ ପର୍ଯ୍ୟନ୍ତ ଆମକୁ ଅସ୍ତ୍ରଶସ୍ତ୍ର ଛାଡିବା ନାହିଁ ଏବଂ ଯୁଦ୍ଧ ଜାରି ରଖିବା ବୋଲି ସେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।
ଦେଶରେ କୋରୋନା ସଂକ୍ରମଣ ହ୍ରାସ ପାଇଛି । ତଥାପି ଆମେ ବେପରୁଆ ନ ହୋଇ ମହାମାରୀ ବିରୁଦ୍ଧରେ ଯୁଦ୍ଧ ଜାରି ରଖିବା ସହିତ ମାସ୍କ, ସାନିଟାଇଜର ସହିତ ସାମାଜିକ ଦୂରତା ଅବଲମ୍ବନ କରିବା ଉଚିତ । ଦେଶରେ ଟୀକାକରଣ ୧୦୦ କୋଟି ଅତିକ୍ରମ କରିଥିବା ବେଳେ ଏହାକୁ ନେଇ ମଧ୍ୟ ମୋଦି ଦେଶବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ତେବେ ଶହେ କୋଟି ଟୀକାକରଣ ଏକ ଆକଳନ ନୁହେଁ ବରଂ ଏହା ଆମ ସାମର୍ଥ୍ୟର ଏକ ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।