ବିଶ୍ୱ ବିଜେତା ଟିମ୍ ଇଣ୍ଡିଆ ପାଇଁ ବିସିସିଆଇର ବଡ଼ ଉପହାର, ୧୩୧ କୋଟି ଟଙ୍କା ପୁରସ୍କାର ଘୋଷଣା

New Delhi: ଟି-୨୦ ବିଶ୍ୱକପ୍ ଜିତି ଦେଶକୁ ଗର୍ବିତ କରିଥିବା ଭାରତୀୟ ଦଳ ପାଇଁ ପୁଣିଥରେ ଖଜାନା ଖୋଲିଛି ଭାରତୀୟ କ୍ରିକେଟ କନ୍ଟ୍ରୋଲ ବୋର୍ଡ (ବିସିସିଆଇ)। ବିଶ୍ୱ ବିଜେତା ଟିମ୍ ଇଣ୍ଡିଆର ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ସମ୍ମାନ ଜଣାଇ ବିସିସିଆଇ ୧୩୧ କୋଟି ଟଙ୍କାର ବଡ଼ ପୁରସ୍କାର ରାଶି ଘୋଷଣା କରିଛି। ମଙ୍ଗଳବାର ବୋର୍ଡ ପକ୍ଷରୁ ଏହି ଘୋଷଣା କରାଯାଇଥିବା ବେଳେ ଦଳର ଐତିହାସିକ ସଫଳତାକୁ ସମ୍ମାନ ଦେବାରେ ଏହାକୁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। ମାର୍ଚ୍ଚ ୮ ତାରିଖରେ ଭାରତ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାସ୍ତ କରି ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଥିଲା। ଏହା ସହ ଭାରତ ଲଗାତାର ଦ୍ୱିତୀୟ ଥର ବିଶ୍ୱ ଚାମ୍ପିଅନ ହେବାର ଗୌରବ ମଧ୍ୟ ହାସଲ କରିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ବିସ୍ଫୋରକ ବ୍ୟାଟିଂ, ଦୃଢ଼ ବୋଲିଂ ଏବଂ ଉତ୍କୃଷ୍ଟ କ୍ଷେତ୍ରରକ୍ଷଣର ପ୍ରଦର୍ଶନ କରିଥିଲା। ସଞ୍ଜୁ ସାମସନ, ଜସପ୍ରିତ ବୁମରାହ ଏବଂ ଅନ୍ୟାନ୍ୟ ଖେଳାଳିମାନେ ଦଳର ଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଦଳର ଏହି ଦମଦାର ପ୍ରଦର୍ଶନକୁ ସମ୍ମାନ ଦେଇ ବିସିସିଆଇ ୧୩୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି, ଯାହା ପୂର୍ବବର୍ତ୍ତୀ ପୁରସ୍କାର ରାଶିଠାରୁ ୬ କୋଟି ଟଙ୍କା ଅଧିକ। ଏହି ଦୁଇଟି ବିଶ୍ୱକପ୍ ଜିତିବା ମଧ୍ୟରେ ଟିମ୍ ଇଣ୍ଡିଆ ୨୦୨୫ ମସିହାରେ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତିଥିଲା। ସେତେବେଳେ ମଧ୍ୟ ବିସିସିଆଇ ଦଳ ପାଇଁ ୫୮ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ଏହି ପୁରସ୍କାର ରାଶି ଆଇସିସି ପକ୍ଷରୁ ମିଳୁଥିବା ପୁରସ୍କାର ରାଶିଠାରୁ ଭିନ୍ନ। ଆଇସିସି ଚାମ୍ପିଅନ୍ ଦଳକୁ ପ୍ରାୟ ୨୭.୫ କୋଟି ଟଙ୍କା ପୁରସ୍କାର ଦେଇଥିବା ବେଳେ, ରନର୍ସଅପ୍ ନ୍ୟୁଜିଲ୍ୟାଣ୍ଡକୁ ପ୍ରାୟ ୧.୬ ମିଲିୟନ୍ ଡଲାର ମିଳିଥିଲା। ତଥାପି ବିସିସିଆଇ ଦ୍ୱାରା ଘୋଷିତ ଏହି ବୋନସ୍ ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ବଡ଼ ଦଳୀୟ ପୁରସ୍କାର ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି। ବିସିସିଆଇର ଏହି ଘୋଷଣା ଦଳର ମନୋବଳକୁ ଆହୁରି ବଢ଼ାଇବା ସହ ଭବିଷ୍ୟତରେ ଆସନ୍ତା ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳିମାନଙ୍କୁ ଆହୁରି ଭଲ ପ୍ରଦର୍ଶନ ପାଇଁ ପ୍ରେରଣା ଦେବ ବୋଲି ମନେ କରାଯାଉଛି।