ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରଠାରେ ପାଳସାହି ଗ୍ରାମପଞ୍ଚାୟତ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଟିଖିରି ଗ୍ରାମପଞ୍ଚାୟତର ଯୁବା ସରପଞ୍ଚ ଚାମେଲି ଓଝାଙ୍କ ସହ ଘଟିଥିବା ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ସଭାରେ ବକ୍ତାମାନେ କହିଥିଲେ ଯେ, ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କ ସହ ଘଟିଥିବା ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ ଏବଂ ଗଣତନ୍ତ୍ର ପାଇଁ ଲଜ୍ଜାଜନକ। ଏଭଳି ଘଟଣା ଜନପ୍ରତିନିଧିଙ୍କ ସମ୍ମାନ ପ୍ରତି ଆଘାତ ସଦୃଶ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ବିରୋଧରେ କ୍ଷୋଭ ପ୍ରକାଶ କରି ଦୋଷୀଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା
ପ୍ରତିବାଦକାରୀମାନେ ଅଭିଯୋଗ କରି କହିଥିଲେ ଯେ, ଜନସାଧାରଣଙ୍କ ସ୍ୱରକୁ ଦମନ କରିବା ପାଇଁ ପୋଲିସ ଶକ୍ତିର ଅପବ୍ୟବହାର କରାଯାଉଛି। ଯଦି ଦୋଷୀଙ୍କ ବିରୋଧରେ ଶୀଘ୍ର ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସତର୍କ କରାଯାଇଥିଲା।