କୋଟଗଡ଼ରେ ଗଛ କାଟି ପୋଷ୍ଟର ଲଗାଇ ମାଓବାଦୀଙ୍କ ରାସ୍ତା ଅବରୋଧ

(ବନବାସୀ ପ୍ରଧାନ/କନ୍ଧମାଳ): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ରଡ଼ିଗୁମା ନିକଟରେ ଲାଗିଲା ମାଓ ପୋଷ୍ଟର । ଦୀର୍ଘ ଦିନର ନୀରବତା ପରେ କୋଟଗଡ଼ରେ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି । ରବିବାର ବିଳମ୍ବିତ ରାତିରେ କୋଟଗଡ଼ର ରଡ଼ିଗୁମା ନିକଟ ଜୁଡାବାଲି ଛକ ଠାରେ ଗଛ କାଟି ୫୯ତମ ଜାତୀୟ ରାଜ ପଥକୁ ଅବରୋଧ କରିବା ସହ କିଛି ପୋଷ୍ଟର ଛାଡି ଯାଇଛନ୍ତି । ଛାଡ଼ି ଯାଇଥିବା ପୋଷ୍ଟରରେ ନିୟମଗିରି ଓ ଖଣ୍ଡଆଲ ପାହାଡରେ ଥିବା ସିଆରପିଏଫ କ୍ୟାମ୍ପ ଉଠେଇବାକୁ , ବିକାଶ ନାମରେ ବିନାଶ ବନ୍ଦ କର, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରର ନିନ୍ଦା କରିଛନ୍ତି ମାଓବାଦୀ । ତାଛଡା ପୋଲିସ ଇନଫରର୍ମର ନ ବନିବାକୁ ଆଦିବାସୀ ଓ ହରିଜନ (ଦଳିତ)ଙ୍କୁ ମାଓବାଦୀମାନେ ଆହ୍ୱାନ ଦେଇଛନ୍ତି । ଇନଫରମରର ଚେନକୁ ଧ୍ୱଂସ କରିବାକୁ କହିଛନ୍ତି । ବିସ୍ଥାପିତ ଆଦିବାସୀ ଓ ପ୍ରାକୃତିକ ସମ୍ପଦର ନଷ୍ଟକୁ ବରଦାସ୍ତ କରାଯିବନି ବରଂ ଜବାବ ଦିଆଯିବ କହିଛନ୍ତି । ଏହା ବ୍ୟତୀତ ସେଠାରେ ସିର୍ଲା ,ସୁପିଲ ଓ ସିକିରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମାଓବାଦୀଙ୍କ ଫୋଟୋ ଚିତ୍ର ଛାଡ଼ି ଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଂଚି ମାଓବାଦୀ ଛାଡ଼ି ଯାଇଥିବା ପୋଷ୍ଟର ଓ ଫୋଟ ଚିତ୍ରକୁ ଉଦ୍ଧାର କରି ନେଇ ଯାଇଥିବା ସୂଚନା ମିଳିଛି । ସୂଚନା ଥାଉକି, ଏହାର ଗୋଟେ ଦିନ ପୂର୍ବରୁ ତୁମୁଡିବନ୍ଧ ବ୍ଲକ କୁର୍ତମଗଡରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ପାଖ ଆଖ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି ।