ପ୍ରଶାସନିକ ସହଭାଗିତାରେ କିମ୍ସର କଳେବର ବୃଦ୍ଧି

ଭୁବନେଶ୍ୱର/ଶିଳାସ୍ମିତା ରାୟ: ମହାମାରୀ କରୋନା ଅନେକଙ୍କ ପାଇଁ ସର୍ବନାଶର କାରଣ ହୋଇଥିବା ବେଳେ କିନ୍ତୁ ସ୍ୱଚ୍ଛ ମୁଖ୍ୟମନ୍ତ୍ରୀଙ୍କ ବର୍ତ୍ତମାନର ଅତି ବିଶ୍ୱସ୍ତ ବୋଲାଉଥିବା ଏକାଧିକ ଦୁର୍ନୀତିରେ ଲିପ୍ତ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପାଇଁ ପୁଷମାସ । ମୁଖ୍ୟମନ୍ତ୍ରୀଙ୍କ ସହୃଦୟତାରୁ ଧନଦାତ୍ରୀ ଦେବୀ ମା ଲକ୍ଷ୍ମୀଙ୍କ ଆଶୀଷ ଢାଳିହୋଇପଡିଲା ଅଚ୍ୟୁତଙ୍କ ଉପରେ । ୨୦୨୦ ମାର୍ଚ୍ଚରେ କରୋନା ସଂକ୍ରମଣ ଉପରେ ରୋକ ଲଗାଇବାକୁ ଦେଶବ୍ୟାପୀ ଲକଡାଉନ ଘୋଷଣା କରାଗଲା । ଲୋକେ କର୍ମସଂସ୍ଥାନ ହରାଇଲେ । ଅନେକଙ୍କ ଘରେ ଜଳିଲା ନାହିଁ ଚୁଲି । ଭୋକ ଉପାଷରେ ଅନେକ ଅକାଳରେ ମୃତ୍ୟୁବରଣ କଲେ । କିନ୍ତୁ ସାମନ୍ତ ଏହି କୋଭିଡ କାଳରେ ପ୍ରତିଷ୍ଠା କରିପାରିଛନ୍ତି କିମ୍ସର ୩ଟି ଶାଖା । ଆଉ ଏହା ସମ୍ଭବ ହୋଇଛି ସରକାର ଓ ସରକାରୀ କଳର ସହଯୋଗରେ । ଏହି ସଫଳତା ପାଇଁ ଅଚ୍ୟୁତଙ୍କ ଯେତିକି ଝାଳବୁହା ପରିଶ୍ରମ ରହିଛି ତାଠାରୁ ଅଧିକ ଭୂମିକା ରହିଛି ସ୍ୱଚ୍ଛ, ନିର୍ମଳ, ଧୋବଫରର ମୁଖ୍ୟମନ୍ତ୍ରୀ ଓ ତାଙ୍କ କୋଭିଡ ପରିଚାଳନା ଟିମର ।

ରାଜ୍ୟ ସରକାର କରୋନାକୁ ପ୍ରତିହତ କରିବାକୁ ମାର୍ଚ୍ଚ ୨୦୨୦ରେ ରାଜଧାନୀର ଦୁଇ ସମ୍ପୂର୍ଣ୍ଣ ଘରୋଇ ଓ ଏକାଧିକ ମାମଲାରେ ବୁଡି ରହିଥିବା ଦୁଇ ହସ୍ପିଟାଲକୁ କୋଭିଡ ହସ୍ପିଟାଲ ଭାବେ ଘୋଷଣା କଲେ । ଉଭୟ ହସ୍ପିଟାଲରେ ୫୦୦ ଲେଖା ବେଡ କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଗଲା । ସେଥିରେ ଥିଲା କିମ୍ସ । ସରକାରଙ୍କ ନିର୍ଦ୍ଦେଶରେ ଓଡିଶା ମାଇନିଂ କରପୋରେସନ ୨୦୨୦ ଡିସେମ୍ବର ଶେଷ ପର୍ଯ୍ୟନ୍ତ ବେଡ ଚାର୍ଜ୍ୟ ସହ ରୋଗୀଙ୍କ ଚିକିତ୍ସା ପାଇଁ ୪୩ କୋଟି ୪୧ ଲକ୍ଷ ୯୦ ହଜାର ଟଙ୍କା କିମ୍ସ ମାଧ୍ୟମରେ ଅଚ୍ୟୁତ ସାମନ୍ତଙ୍କୁ ପ୍ରଦାନ କରିଥିଲା । ଏହା ବ୍ୟତୀତ ଅଚ୍ୟୁତଙ୍କ ପକେଟକୁ ଦୁଇଟି କିସ୍ତିରେ ୧୭କୋଟି ୨୭ ଲକ୍ଷ ୭୪ ହଜାର ଟଙ୍କା ଦିଆଯାଇଥିଲା ଅଗ୍ରୀମ ଭାବେ ହସ୍ପିଟାଲ ସ୍ଥାପନ କରିବାକୁ । ଅର୍ଥାତ୍ ଅଚ୍ୟୁତଙ୍କୁ ମୋଟ ୬୦କୋଟି ୬୯ ଲକ୍ଷ ୬୪ ହଜାର ଟଙ୍କା ଦିଆଯାଇଥିବା ଆରଟିଆଇ ତଥ୍ୟରୁ ପ୍ରକାଶ ।

କିମ୍ସକୁ ରାଜ୍ୟ ସରକାରଙ୍କ ଏହି ଅନୁକମ୍ପାକୁ ନେଇ ବୁଦ୍ଧିଜୀବୀ ଓ ସୂଚନା ଅଧିକାର କର୍ମୀ ଉଠାଇଛନ୍ତି ପ୍ରଶ୍ନ । ରାଜ୍ୟରେ ସଂକ୍ରମଣ ଏତେ ସଂଖ୍ୟାରେ ନଥିବା ଅବସ୍ଥାରେ ଘରୋଇ ହସ୍ପିଟାଲକୁ ଅଗ୍ରୀମ କୋଟିକୋଟି ଟଙ୍କା ବେଡ ପ୍ରସ୍ତୁତ କରିବାକୁ ତଥା ରୋଗୀ ନ ଥାଇ ହସ୍ପିଟାଲକୁ ବେଡ ଚାର୍ଜ୍ୟ ଭାବେ ଦୈନିକ ୧୫ରୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଗଲା । ଯଦି ସେତିକି ଟଙ୍କା ବିନିଯୋଗରେ ସେହି ସମୟ ମଧ୍ୟରେ ରାଜ୍ୟ ସରକାର ସରକାରୀ ହସ୍ପିଟାଲଗୁଡିକର ଭିତ୍ତିଭୂମିରେ ପରିବର୍ତ୍ତନ ଆଣି କୋଭିଡ ଚିକିତ୍ସା ପାଇଁ ପ୍ରସ୍ତୁତି କରିପାରିଥାନ୍ତେ ତେବେ ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଖର୍ଚ୍ଚ କମିବା ସହ ସରକାରୀ ହସ୍ପିଟାଲର ଉନ୍ନତିକରଣ ସମ୍ଭବ ହୋଇ ପାରିଥାନ୍ତା, ଯାହା କରୋନା ମହାମାରୀ ଶେଷ ହେବା ପରେ ମଧ୍ୟ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବାରେ ହୋଇପାରିଥାନ୍ତା ଉପଯୋଗୀ ।

କିନ୍ତୁ, ୱାନ ମ୍ୟାନ ଆର୍ମିରେ ଚାଲିଥିବା ବିଜେଡି ସରକାର ଘରୋଇ ହସ୍ପିଟାଲର ଉନ୍ନତିକରଣ ପାଇଁ ଟଙ୍କାର ବନ୍ୟା ଛୁଟାଇଲେ । ସବୁଠାରୁ ବଡ କଥା ହେଲା ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ତଥାକଥିତ ଶିକ୍ଷାବିତ୍ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ମେଡକାଲକୁ ଦିଆଗଲା କୋଭିଡ ହସ୍ପିଟାଲର ମାନ୍ୟତା । ୨୦୨୦ ମାର୍ଚ୍ଚରୁ ଡିସେମ୍ବର ମଧ୍ୟରେ ଅଚ୍ୟୁତଙ୍କୁ ଦିଆଗଲା ୬୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା । ଯେଉଁ ଟଙ୍କାରେ ଅଚ୍ୟୁତ କିମ୍ସର ୩ଟି ଶାଖା ମୟୂରଭଞ୍ଜ, କନ୍ଧମାଳ ଓ ବଲାଙ୍ଗୀରରେ ଏକକାଳୀନ ସ୍ଥାପନ କଲେ । ତେବେ କାହିଁକି ଆମ ମୁଖ୍ୟମନ୍ତ୍ରୀ ତଥା ପ୍ରଶାସକଙ୍କ ଘରୋଇ ସଂସ୍ଥାପ୍ରତି ଏତେ ପ୍ରୀତି? କାହିଁ ନିଜସ୍ୱ ସାଧନର ବିନିଯୋଗରେ ସରକାରୀ ସଂସ୍ଥାର କରାଯାଉ ନାହିଁ ଉନ୍ନତିକରଣ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି ।