ବାଇକ ଲୁଟେରା ରାକେଟର ପର୍ଦାଫାଶ କଲା ଖୁଣ୍ଟା ପୋଲିସ
(ଉଦଳା, ଦୀପକ ମିଶ୍ର): ମୟୁରଭଞ୍ଜ ଜିଲ୍ଲାର ଏକ ବଡ ବାଇକ ଚୋରି ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ । ରାକେଟକୁ ଠାବ କରିବା ସହ ଏମାନଙ୍କ ନିକଟରୁ ମୋଟ ୨୮ ଟି ବାଇକ ଜବତ ହୋଇଛି ।
ଦୀର୍ଘ ଦିନରୁ କପ୍ତିପଦା ଉପଖଣ୍ଡର ବିଭିନ୍ନ ଥାନାରେ ବାଇକ ଚୋରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସିଥିଲା । ଯାହାକୁ ନେଇ ଆକ୍ସନକୁ ଆସିଥିଲା ଖୁଣ୍ଟା ପୋଲିସ । ୫ ଦିନର ଲୁଚକାଳି ଖେଳ ପରେ ଖୁଣ୍ଟା ପୋଲିସ ଗୋଟିଏ ବଡ ବାଇକ ଚୋରି ରାକେଟର ପର୍ଦ୍ଦାଫାଶ କରିଛି । ଗତ ୫ ଦିନ ବିଭିନ୍ନ ସ୍ଥାନରେ ଚଢାଉ କରିବା ପରେ ଖୁଂଟା ପୋଲିସ ଆଜି ଏହି ବଡ ସଫଳତାହାସଲ କରିଛି । ବାଇକ ଚୋରି ରାକେଟରେ ସମ୍ପୃକ୍ତ ୪ ଜଣ ବାଇକ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ମଧ୍ୟରୁ ଦୁଇ ଜଣ ନୀଳଗିରି ଥାନା ପୁନ୍ଦାଳ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଉଦଳା ଥାନା ବହୁବନ୍ଧ ଅଞ୍ଚଳର ହୋଇଥିବା ଜଣାପଡିଛି ।
ଲୁଟେରାମାନଭ୍କୁ ଗିରଫ କରାଯିବା ପରେ ସେମାନଙ୍କ ନିକଟରୁ ୨୮ଟି ଚୋରା ବାଇକ ଜବତ କରାଯାଇଛି । ସେଗୁଡିକ ମଧ୍ୟରେ ୪ ଟି ସ୍କୁଟି ଥିବା ବେଳେ ଗୋଟିଏ ବୁଲେଟ ଏବଂ ୨୩ଟି ବାଇକ ରହିଛି । ତେବେ ଏହି ଲୁଟେରା ଗ୍ୟାଙ୍ଗରେ ଆଉ କେତେ ଜଣ ସଂପୃକ୍ତ ଅଛନ୍ତି ଏବଂ ଆଉ କେତେ ବାଇକ ଲୁଟ କରିଛନ୍ତି ଏ ନେଇ ଖୁଂଟା ପୋଲିସ ତଦନ୍ତ ଜାରି ରଖିଛି ।