ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଖଲ୍ଲିକୋଟ ୟୁନିଭର୍ସିଟି ବିଲୀନ

(ରଜନୀ କାନ୍ତ ପାତ୍ର / ହିଞିଳି) ; ଖଲ୍ଲିକୋଟ (ରିସର୍ଚ୍ଚ) ୟୁନିଭର୍ସିଟିକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବିଲୀନ କରାଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଚିଠି ନମ୍ବର (୨୦୭୫୬/୧୮.୫.୨୧) ପ୍ରକାରେ ବର୍ତ୍ତମାନ ବ୍ରହ୍ମପୁର ଉପକଣ୍ଠ କନିଷି ଠାରେ ଏକ ଭଡା କୋଠାରେ କାର‌୍ୟ୍ୟ କରୁଥିବା ଖଲ୍ଲିକୋଟ ୟୁନିଭର୍ସିଟି ଆସନ୍ତା ଅକ୍ଟୋବର ୧ ତାରିଖରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବିଲୀନ ହୋଇଯିବ । ଏଥିପାଇଁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ଗତ ୫ ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବା ନେଇ ଘୋଷଣା କରିଥିଲେ । ୧ ଅଗଷ୍ଟ ୨୦୨୧ରୁ ଏହା କାର‌୍ୟ୍ୟକାରୀ ହେବ ବୋଲି ୧୧ ତାରିଖରେ ବିଜ୍ଞପ୍ତି ବାହାରିଥିଲା ।
ସେତେବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର୍ ଜୟନ୍ତ କୁମାର ମହାପାତ୍ରଙ୍କ ଟ୍ୱିଟ୍ ଆଧାରରେ ଖଲ୍ଲିକୋଟ (ରିସର୍ଚ୍ଚ) ୟୁନିଭର୍ସିଟି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ବିଲୀନ ହେବ ବୋଲି ପ୍ରମେୟରେ ଖବର ପ୍ରକାଶ ପାଇଥିଲା । ମଙ୍ଗଳବାର ପ୍ରକାଶିତ ବିଜ୍ଞପ୍ତି ତାହାକୁ ସ୍ପଷ୍ଟ କରିଛି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାରେ ୩୦.୯.୨୧ ପରେ ଖଲ୍ଲିକୋଟ (ଗବେଷଣା) ବିଶ୍ୱବିଦ୍ୟାଳୟ ଆଉ କାର‌୍ୟ୍ୟ କରିବନି । ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ସମସ୍ତ ନିୟମିତ କର୍ମଚାରୀଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନିୟମିତ କର୍ମଚାରୀ ଭାବେ ଗ୍ରହଣ କରାଯିବ । ଅକ୍ଟୋବର ୧ରୁ ସେମାନେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ନିଜର ଦରମା ଗ୍ରହଣ କରିବେ
ଖଲ୍ଲିକୋଟ ୟୁନିଭର୍ସିଟିର ସମସ୍ତ ଅସ୍ଥାବର ସମ୍ପତ୍ତି ସେପ୍ଟେମ୍ବର ୩୦ ସୁଦ୍ଧା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର କରାଯିବ । କନିଷି ତହସିଲରେ (ପାଲୁର୍ ହିଲ୍ ନିକଟରେ) ଖଲ୍ଲିକୋଟ ୟୁନିଭର୍ସିଟି ନିମନ୍ତେ ପ୍ରଦତ୍ତ ସରକାରୀ ଜମିକୁ ସ୍ଥିତାବସ୍ଥାରେ ଜିଲ୍ଲା ରାଜସ୍ୱ କର୍ତ୍ତୃପକ୍ଷଙ୍କୁ ଅର୍ପଣ କରି ଦିଆଯିବ । ୩୦.୯.୨୧ ପୂର୍ବରୁ ଖଲ୍ଲିକୋଟ ୟୁନିଭର୍ସିଟି ସମସ୍ତ ସ୍ନାତକ, ସ୍ନାତକୋତ୍ତର (ନିର୍ଦ୍ଧାରଣ କରାଯାଇଥିବା) ତଥା ବ୍ୟାକ୍ଲଗ୍ ପରୀକ୍ଷା ସମ୍ପନ୍ନ କରି ଫଳ ପ୍ରକାଶ କରିବ । ଏହାପରେ ଛାତ୍ରଛାତ୍ରୀମାନେ ସ୍ୱତଃପ୍ରବୃତ୍ତ ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରୋଲ୍କୁ ସ୍ଥାନାନ୍ତର ହୋଇଯିବେ । ଛାତ୍ରଛାତ୍ରୀଙ୍କ ଦ୍ୱାରାହାସଲ କରାଯାଇଥିବା ମାର୍କ/ଗ୍ରେଡ୍ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ ବଜାୟ ରହିବ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଉକ୍ତ ବିଦ୍ୟାର୍ଥୀମାନଙ୍କ ପରୀକ୍ଷା ଓ ଡିଗ୍ରୀ ପ୍ରଦାନ କର୍ତ୍ତୃପକ୍ଷ ଭାବେ କାର‌୍ୟ୍ୟ କରିବ ।ଉପରୋକ୍ତ ନିର୍ଦ୍ଧାରିତ ସମୟ ପରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଗବେଷକମାନେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନକୁ ଯିବେ । ପ୍ରୋ-ଡକ୍ଟରାଲ୍ କ୍ରେଡିଟ୍ସ୍, ପଞ୍ଜୀକରଣ ତାରିଖ ଓ ଥେସିସ୍ସୁପର୍ଭାଇଜର୍ ଅପରିବର୍ତ୍ତିତ ରହିବ ।ସେପ୍ଟେମ୍ବର ୩୦ ତାରିଖ ପରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ସମ୍ବନ୍ଧିତ ସମସ୍ତ ପ୍ରସଙ୍ଗ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିଚାଳନା କରିବ । ସେହିପରି ଖଲ୍ଲିକୋଟ ୟୁନିଭର୍ସିଟିର ସମସ୍ତ ଅନୁଦାନପ୍ରାପ୍ତ ରିସର୍ଚ୍ଚ ପ୍ରୋଜେକ୍ଟ ଉପକରଣ ଓ ଗବେଷକଙ୍କ ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନକୁ ଚାଲିଯିବ । ବିଜ୍ଞପ୍ତି ପ୍ରକାଶ ପରେ ଖଲ୍ଲିକୋଟ ୟୁନିଭର୍ସିଟିରେ ପ୍ରଚଳିତ ପାଠ୍ୟକ୍ରମ ସକାଶେ ସେହି ବିଶ୍ୱବିଦ୍ୟାଳୟ କିମ୍ବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଚଳିତ ଶିକ୍ଷାବର୍ଷ ସକାଶେ କୌଣସି ନୂଆ ଆଡ୍ମିଶନ୍ ହେବନି ।ଏସବୁ ପାଠ୍ୟକ୍ରମ ଜାରି ରଖିବା ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବିସ୍ତୃତ ଅନୁଧ୍ୟାନ କରି ପରବର୍ତ୍ତୀ ଶିକ୍ଷାବର୍ଷ ପାଇଁ ଉଚିତ ନିଷ୍ପତ୍ତି ଗ୍ରହଣ କରିବ ବୋଲି ବିଜ୍ଞପ୍ତିରେର ଦର୍ଶାଯାଇଛି । ଖଲ୍ଲିକୋଟ ୟୁନିଭର୍ସିଟି ରେଜିଷ୍ଟ୍ରାର୍ ସମସ୍ତ ଆବଶ୍ୟକ କାଗଜପତ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର୍ଙ୍କୁ ହସ୍ତାନ୍ତର କରିବେ ଯାହାକୁ ଭବିଷ୍ୟତ ପାଇଁ ଉପଯୁକ୍ତ ସଂରକ୍ଷଣ କରି ରଖାଯିବ । ଏଥିସହ ପରବର୍ତ୍ତୀ ସମୟରେ ଯଦି
କୌଣସି ନିର୍ଦ୍ଦେଶ ଆବଶ୍ୟକ ହୁଏ ତେବେ ଜାରି କରାଯିବ ବୋଲି ଉଲ୍ଲେଖ ରହିଛି ।