ଖଲ୍ଲିକୋଟ ପୋଲିସ କବଜାରେ ଡକାୟତ ଗ୍ୟାଙ୍ଗ : ୫କୁଖ୍ୟାତ ଅପରାଧି ଗିରଫ

ଗଞ୍ଜାମ:( ହରପ୍ରସାଦ ବିଷୋୟୀ)ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ଏକ ବଡ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ୫ ଜଣ କୁଖ୍ୟାତ ଡକାୟତ ଗିରଫ ସହ ସେମାନଙ୍କଠାରୁ ୫ଟି ପିସ୍ତଲ, ଗୋଟିଏ ରିଭଲଭର, ୮ଟି ମାଗାଜିନ, ୧୩ ରାଉଣ୍ଡ ଗୁଳି, ୫ଟି ବୋମାକୁ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କୋଦଳା ଥାନା ଅଞ୍ଚଳ ସାଙ୍କୁଡା ଗ୍ରାମର ମହେଶ୍ବର ସାହୁ, କବିସୂର୍ୟ୍ୟନଗର ଥାନା ଅନ୍ତର୍ଗତ ଆଠଗଡ ପାଟଣାର ସୁବିର କୁମାର ହୋତା ଓରଫ ସିଲୁ, କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ଗ୍ରାମର ରାମ ଚନ୍ଦ୍ର ଜେନା, କବିସୂର୍ୟ୍ୟନଗର ଥାନା ଅନ୍ତର୍ଗତ ବାଲିଆସଉରା ଗ୍ରାମର ଦିଲ୍ଲୀପ ପଲାଇ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର ମନୋଜ ସ୍ବାଇଁକୁ ପୋଲିସ ଗିରଫ କରିଛି ।

ସୋମବାର ମଧ୍ୟରାତ୍ରିରେ ଖଲ୍ଲିକୋଟ ଥାନା ବଡ ଘାଟି ନିକଟରେ ଜାତୀୟ ରାଜପଥରେ ଡକାୟତ କରିବା ପାଇଁ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଓ ଷ୍ଟାଫ୍ ଅତର୍କିତ ଚଢାଉ କରି ଗିରଫ କରିଥିଲେ । ମଙ୍ଗଳବାର ସେମାନଙ୍କୁ କୋର୍ଟ ଚାଲାଣ କରିବ ପୋଲିସ।ସେପଟେ କବିସୂର୍ୟ୍ୟନଗର ଥାନା ଅଞ୍ଚଳର ଦିଲ୍ଲୀପ ପଲାଇ ନାମରେ ବିଭିନ୍ନ ଥାନାରେ ୫୦ରୁ ଉର୍ଦ୍ଧ୍ବ ମାମଲା ଜଣାପଡିଛି । ସେହିଭଳି ଖଲ୍ଲିକୋଟ ଥାନା ଅଞ୍ଚଳର ମନୋଜ ସ୍ବାଇଁଙ୍କ ନାମରେ ୭ରୁ ଉର୍ଦ୍ଧ୍ବ ମାମଲା ଥିବା ଜଣାପଡିଛି । ତେବେ ଏହି ଦୁଇ ଜଣଙ୍କ ନାମରେ ବିଭିନ୍ନ ଥାନାରେ ଡକାୟତି, ରାହାଜାନୀ ଓ ଲୁଟପାଟ ଭଳି ସଙ୍ଗୀନ ମାମଲା ରହିଛି। ଗିରଫ ହୋଇଥିବା ଅଭିଯୁକ୍ତ କେଉଁଠୁ ବେଆଇନ ବନ୍ଧୁକ ଆଣିଲେ ତାର ତଦନ୍ତ କରୁଛି ଖଲ୍ଲିକୋଟ ଥାନା ପୋଲିସ।