ଭୁବନେଶ୍ଵର-: ବିକଶିତ ହେବ କଳିଙ୍ଗ ଷ୍ଟୁଡିଓ । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ କରିଛନ୍ତି । କଳିଙ୍ଗ ଷ୍ଟୁଡିଓକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡିଓ ଭାବେ ବିକଶିତ କରାଯିବ। ଏଥିପାଇଁ ଏକ ଡିପିଆର୍ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ୧୯୮୦ ମସିହାରେ ସ୍ଥାପିତ ହୋଇଥିବା ଏହି ଷ୍ଟୁଡ଼ିଓ ଏକଦା ଚଳଚ୍ଚିତ୍ର ନିର୍ମାଣ ପାଇଁ ଉନ୍ନତ ଯନ୍ତ୍ରପାତି ସହିତ ପୂର୍ବ ଭାରତର ଏକମାତ୍ର ଷ୍ଟୁଡ଼ିଓ ଭାବେ ଖ୍ୟାତି ଅର୍ଜନ କରିଥିଲା । ସମୟକ୍ରମେ ଆଧୁନିକ ଯନ୍ତ୍ରପାତି ଓ ବୈଷୟିକ ଉପକରଣ ଅଭାବରୁ ଷ୍ଟୁଡ଼ିଓଟିର ଚାହିଦା ହ୍ରାସ ପାଇଥିଲା । ଏହାର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ନୂଆ ସରକାର ଦାୟିତ୍ୱ ନେବା ପରେ ଏହି ଷ୍ଟୁଡ଼ିଓର ଅତ୍ୟାଧୁନିକୀକରଣକୁ ଗୁରୁତ୍ୱ ଦେବାପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଷ୍ଟୁଡ଼ିଓର ଟେକ୍ ବିଲଡ଼ିଙ୍ଗ, ଏଣ୍ଟ୍ରାନ୍ସ ପ୍ଲାଜା, ଇନଡୋର୍ ସୁଟିଙ୍ଗ ବ୍ୟବସ୍ଥା, କଳିଙ୍ଗ ମୁଭି ମ୍ୟାଜିକ୍, ଆଭେନ୍ୟୁ ଲ୍ୟାଣ୍ଡ, ଭିଲେଜ୍ ଏରିଆ, ଆଇକନିକ୍ ଲ୍ୟାଣ୍ଡ ମାର୍କ, ସ୍ନୋ ୱାର୍ଲଡ, କମ୍ୟୁନିଟି ହଲ୍, ବାମ୍ୱୋ ଷ୍ଟ୍ରକ୍ଚର, ୱାଟର ବଡ଼ି, ଗ୍ରୀନ ଏରିଆ ଇତ୍ୟାଦି ବିକଶିତ କରାଯାଇଛି । ଇଡ୍କୋ ପକ୍ଷରୁ ଏହି ବିକାଶ କାର୍ଯ୍ୟ କରାଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ବିଭାଗୀୟ ସଚିବ ହେମନ୍ତ ଶର୍ମା ଓ ସଂସ୍କୃତି ବିଭାଗ ସଚିବ ସମର୍ଥ ବର୍ମାଙ୍କ ସହ ସିନେ କଳାକାର ଶ୍ରୀତମ ଦାସ ଓ ହରିହର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । କଳିଙ୍ଗ ଷ୍ଟୁଡିଓ କାର୍ଯ୍ୟର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ କାମ ସରିଛି । ବାକି ଥିବା କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।