କଂଗ୍ରେସ ମୁକ୍ତ ଭାରତ ପରେ ବିରୋଧୀ ମୁକ୍ତ ଭାରତ ଆଡକୁ ଯାଉଛି କି ବିଜେପି ?

ଅପରେସନ କମଲ ନେଇ ରାଜନୈତିକ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ: କଂଗ୍ରେସ ମୁକ୍ତ ଭାରତ ପରେ ବିରୋଧୀ ମୁକ୍ତ ଭାରତ ଆଡକୁ ଯାଉଛି କି ବିଜେପି ଏନଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗୋଆ କଂଗ୍ରେସରେ ବଡ ବିଭାଜନ ହେବାର ସମ୍ଭାବନା ଥିବାବେଳେ ହିମାଚଳ ଓ ଗୁଜୁରାଟ କଂଗ୍ରେସ ବିପଦରେ ରହିଛି। କଂଗ୍ରେସ ମୁକ୍ତ ଭାରତ ପରେ ବିରୋଧୀ ମୁକ୍ତ ଭାରତ ଆଡକୁ ବିଜେପି ବଢୁଛି। ଗୋଆର ୧୧ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି। ସେହିପରି ମହାରାଷ୍ଟ୍ରରେ ଶିବସେନାକୁ ଦୁଇ ଭାଗ କରି ଏକନାଥ ସିନେ୍ଧଙ୍କୁ ସରକାରରେ ସାମିଲ କରିଥିଲେ। ଗୋଆ ଓ ମହାରାଷ୍ଟ୍ରରେ ବିରୋଧୀକୁ ବିଭାଜନ କରିବାରେ ବିଜେପି ମୁଖ୍ୟ ଭୂମିକା ନେଇଥିବା ଜଣାପଡିଛି। ତେବେ ଆଞ୍ଚଳିକ ଦଳର କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ବିଜେପି ସେହି ସବୁ ଦଳ ଉପରେ ନଜର ରଖିଛି। ରାଜନୈତିକ ବିଶେଷଜ୍ଞଙ୍କ କହିବା ମୁତାବକ ବିଜେପି ବର୍ତ୍ତମାନ କଂଗ୍ରେସ ମୁକ୍ତ ନୁହେଁ ବିରୋଧୀ ମୁକ୍ତ ଭାରତ ଆଡକୁ ଅଗ୍ରସର ହେଉଛି। ସଂପ୍ରତି ଛତିଶଗଡ ଓ ରାଜସ୍ଥାନରେ କଂଗ୍ରେସ କ୍ଷମତାରେ ରହିଛି। କଂଗ୍ରେସ ଝାଡଖଣ୍ଡରେ ମିଳିତ ସରକାରରେ ରହିଛି। ସେହିପରି ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କିଛି ସ୍ଥାନରେ କଂଗ୍ରେସ ପ୍ରାର୍ଥୀମାନେ ଅମାନତ ହରାଇଛନ୍ତି।

୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ମାତ୍ର ୪୪ଟି ଆସନ ଜିତିଥିବାବେଳେ ୨୦୧୯ରେ ୫୨ଟି ଆସନ ଜିତିପାରିଛି। ସେହିପରି କଂଗ୍ରେସର ପାରମ୍ପରିକ ଆସନ ଆମେଥିରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୧୯ ସାଧାରଣ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ସେହିପରି ରାଜ୍ୟସଭାରେ କଂଗ୍ରେସର ସଦସ୍ୟ ସଂଖ୍ୟା ୩୧ରେ ସୀମିତ ଥିବାବେଳେ ବିଜେପି ସଂଖ୍ୟା ୯୦କୁ ବୃଦ୍ଧି ପାଇଛି। ଲୋକସଭା ବାଚସ୍ପତି, ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ବିରୋଧୀଦଳ ନେତା ଭଳି ଦେଶର କୌଣସି ବଡ ପଦବୀ କଂଗ୍ରେସ ହାତରେ ନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ଜାତୀୟ ରାଜନୀତିରେ କଂଗ୍ରେସ ଦଳର ପତିଆରା ପ୍ରଭାବ ହୀନ ହୋଇଯାଇଛି। ନିକଟରେ ହାଇଦ୍ରାବାଦରେ ଅନୁଷ୍ଠିତ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବାରବାଦ ରାଜନୀତି ଗଣତନ୍ତ୍ର ପାଇଁ ଅଭିଶାପ ବୋଲି କହିଥିଲେ। ତେବେ ହିମନ୍ତ ବିଶ୍ୱଶର୍ମା, ଏକନାଥ ସିନେ୍ଧ, କେଶବରାଜ ବୋମାଇ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦଳରେ ସାମିଲ କରି ବିରୋଧୀ ଶୂନ୍ୟ ଭାରତ ଆଡକୁ ଯାଉଥିବା ବିଜେପି ବାର୍ତ୍ତା ଦେଇଛି।