ନୂଆଦିଲ୍ଲୀ: ଆଉ ଜୀବନ ନେବନି ମ୍ୟାଲେରିଆ। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ବା ଆଇସିଏମ୍ଆର୍ ମ୍ୟାଲେରିଆ ବିରୋଧରେ ଏକ ଐତିହାସିକ ପଦକ୍ଷେପ ନେଇ ଆଣିଛି ସ୍ୱଦେଶୀ ଟିକା । ଯାହାର ନାଁ ରହିଛି ‘ଆଡଫାଲସିଭାକ୍ସ’ । ଏହା ବ୍ରେନ୍ ମ୍ୟାଲେରିଆ ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ । ଆଉ ଲୋକଙ୍କୁ ମିଳିବ ରକ୍ଷା କବଚ । ଉଦ୍ଭାବନ ହୋଇଥିବା ଭ୍ୟାକ୍ସିନ୍ ପଦ୍ଧତି ଦୁଇ ପ୍ରକାର କାମ କରିବ । ଲୋକେ ଏହି ଭ୍ୟାକ୍ସିନ ନେଲେ ମ୍ୟାଲେରିଆରୁ ସୁରକ୍ଷା ମିଳିବ । ଅନ୍ୟଟି ହେଲା ଗୋଷ୍ଠୀଗତ ସୁରକ୍ଷା ମଳିବ । ଅର୍ଥାତ ଜଣେ ମ୍ୟାଲେରିଆ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମଶା କାମୁଡ଼ି ଅନ୍ୟ ଲୋକଙ୍କୁ କାମୁଡ଼ିଲେ ସେ ଆକ୍ରାନ୍ତ ହେବେନାହିଁ । କାରଣ ମଶା ଦ୍ୱାରା ଜଣଙ୍କଠୁ ଆଉ ଜଣଙ୍କ ପାଖକୁ ବ୍ୟାପୁଥିବା ରକ୍ତରେ ପାରାସାଇଟ୍ ପରଜୀବୀକୁ ତାହା ପ୍ରତିହତ କରିବ । ଫଳରେ ଲୋକେ ଗୋଷ୍ଠୀଗତ ସଂକ୍ରମଣରୁ ରକ୍ଷା ପାଇବେ । ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ଅନୁମୋଦିତ ଟିକା ଯଥା RTS,S/AS01 (Mosquirix) ଓ R21/Matrix-M ର ପ୍ରଭାବକାରିତା ୩୩ରୁ ୭୭% ମଧ୍ୟରେ ରହିଛି। କିନ୍ତୁ AdFalciVax ଏହାଠାରୁ ଅଧିକ ପ୍ରଭାବଶାଳୀ ଓ ଶସ୍ତା ହେବ ବୋଲି ଆଶା କରାଯାଉଛି। ଆଇସିଏମ୍ଆର୍ ଏବେ ଏହି ଟିକାର ବ୍ୟାପକ ଉତ୍ପାଦନ, ପରୀକ୍ଷଣ ଓ ବିପଣନ ପାଇଁ ସହଯୋଗୀ ସଂସ୍ଥାଙ୍କୁ ଆହ୍ୱାନ କରିଛି । ଏହି ଟିକା ଗ୍ରାମାଞ୍ଚଳରେ ସୁଲଭ ଓ ସମର୍ଥନୀୟ ହେବା ଲକ୍ଷ୍ୟ ରଖିଛି, ଯାହା ଓଡ଼ିଶା ଭଳି ମ୍ୟାଲେରିଆ ପ୍ରଭାବିତ ଅଞ୍ଚଳ ପାଇଁ ବରଦାନ ସାବ୍ୟସ୍ତ ହେବ ।