(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : କରୋନା ମହାମାରୀରେ ରାଜ୍ୟର ଅନ୍ୟ ଜିଲ୍ଲାଠାରୁ ଢେର ଆଗରେ ରହିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ପ୍ରଥମେ ସଂକ୍ରମଣ ରୋକିବାକୁ ସୀମା ସିଲ, ପରେ କରୋନା ରୋଗୀଙ୍କ ସମ୍ବନ୍ଧରେ ସଂପର୍କୀୟ କିମ୍ବା ପରିବାର ଲୋକଙ୍କୁ ଅବଗତ କରାଇବା ପାଇଁ ଇ-ସାକ୍ଷାତ ବ୍ୟବସ୍ଥା । ଆଉ ଏବେ ଉଦଘାଟନ ହୋଇଛି ହୋମ ଡେଲିଭରି ବ୍ୟବସ୍ଥା ।ଆଜିଠାରୁ ମାଲକାନଗିରି ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ହୋମ ଡେଲିଭରି ବ୍ୟବସ୍ଥା । ପୌର ପରିଷଦ କାର୍ୟ୍ୟାଳୟ ପରିସରରେ ଖୋଲାଯାଇଥିବା ହୋମ ଡେଲିଭରି ସହାୟତା କେନ୍ଦ୍ରର ଉଦଘାଟନ କରିଛନ୍ତି ଜିଲ୍ଲାପାଳ ୱାଇ ବିଜୟ । ମାଲକାନଗିରିରେ କରୋନା ସଂକ୍ରମଣ କ୍ରମଶଃ ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରୁ ନବାହାରିବା ଲାଗି ନିବେଦନ କରାଯାଇଛି ।ଲୋକଙ୍କୁ ସୁବିଧା ପହଞ୍ଚାଇବା ପାଇଁ ପ୍ରଶାସନ ତରଫରୁ ୪ଟି ମୋବାଇଲ ନମ୍ବର ଦିଆଯାଇଛି । ଲୋକେ ଘରେ ବସି ନିଜ ମନ ମୁତାବକ ଯେକୌଣସି ସାମଗ୍ରୀ ଏହି ନମ୍ବରରେ ଫୋନ କଲ କରି ଅର୍ଡର କରିପାରିବେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୌର କର୍ମଚାରୀମାନେ ବିନା ଶୁଳ୍କରେ ଲୋକଙ୍କ ଘରକୁ ରାସନ ସହ ଔଷଧ ପହଞ୍ଚାଇବେ ।