ନାହିଁ ନାହିଁରେ ଚାଲିଛି ପାନୀୟ ପ୍ରକଳ୍ପ ,ବିଭାଗୀୟ ଅଧିକାରୀଙ୍କ ବେପରୁଆ ଭାବ

(ସାଲେପୁର / ତାରାକାନ୍ତ ନାୟକ ): ବସୁଧା ଯୋଜନାରେ ପାନୀୟ ପ୍ରକଳ୍ପ ଥାଇ ମଧ୍ୟ ଲୋକଙ୍କର କାମରେ ଆସୁନାହିଁ । ପିଇବା ପାଣି ପାଇଁ ହାଣ୍ଡି, ମାଠିଆ ଓ ବାଲ୍ଟି ହାତରେ ଧରି ମାଇଲିଏ ମାଇଲିଏ ବାଟ ନଦୀ କୁ ଯାଇ, ମହିଳା ପୁରୁଷ ଆଣୁଛନ୍ତି ପିଇବା ପାଣି। ଇଏକେଉଁ ଉପାନ୍ତ ଅଞ୍ଚଳର ଘଟଣା ନୁହେଁ। ବରଂ ଇଏ ହେଉଛି କଟକ ଜିଲ୍ଲା ମାହାଙ୍ଗା ପାନୀୟ ଜଳ ଓ ପରିମଳ ବିଭାଗ ର ଘଟଣା। ବିଭାଗ ଅଧିନରେ ଗତ ୨୦୦୨ ରେ ମାହାଙ୍ଗା ମୂଳବସନ୍ତ ବିରୂପା ନଦୀର ତଟ ନିକଟରେ ଏକ ପାନୀୟଜଳ ପ୍ରକଳ୍ପ ହୋଇଥିଲା। ଆଉ ଦୁଇଟି ପଂଚାୟତ ଯଥା ମୂଳବସନ୍ତ ପଂଚାୟତ ର ସିପୁରା, ଧର୍ମଦାସପୁର, ଗୁଣୁପୁର, ମୂଳବସନ୍ତ ଓ ହଂସଦିଆ ଏବଂ କୁହୁଣ୍ଡା ପଂଚାୟତର କଲ୍ୟାଣପୁର,କୋଠପଦା,ଶଖଂପୁର ଓ କୁହୁଣ୍ଡା ଗାଁ, ଏହିପରି ୧୦ ଟି ଗାଁ କୁ ପିଇବା ପାଣି ପହଞ୍ଚାଇବା ପାଇଁ ଯୋଜନା କରାଯାଇଥିଲା। ମାତ୍ର ଏବେ ୩ଟି ଗାଁରେ ପିଇବା ପାଣି ପହଞ୍ଚାଇବା ଅସମ୍ଭବ ଦେଖିବାକୁ ମିଳିଛି । ଏହାର କାରଣ ନିମ୍ନମାନ ର ବିଛା ଯାଇଥିବା ପାଇପ୍ ଏବେ ଅଧାରେ ଫାଟି ଯାଇଛି ଫଳରେ ପାଣି ନଷ୍ଟ ହେବ ସହ ଅଳିଆ ଆବର୍ଜ୍ଜନା ମିଶି ଯାଉଛି। ଖାଲି ସେତିକି ନୁହେଁ ପ୍ରକଳ୍ପରେ ଲାଗିଥିବା ଫିଲଟର ମେସିନଟି ଅନେକ ଦିନରୁ ଅକାମୀ ହୋଇ ଯିବାରୁ ସ୍ବଛ ପାଣି ମଧ୍ୟ ଆସୁନାହିଁ। ଫଳରେ ଏବେ ପ୍ରାୟ ୧୫୦୦ ରୁ ଉର୍ଦ୍ଧ୍ବ ଲୋକେ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ରୁ କେଉଁଠି ଠିକାଦାର ନିମ୍ନ ମାନର ପାଣି ପାଇପ୍ ବିଛାଇ ଦେଇ ବିଲ୍ ନେଇ ଚମ୍ପଟ ହେଉଯାଉଥିବା ବେଳେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଅଂଚଳବାସୀ। ତେଣୁ ନୂତନ ପାଣି ପାଇପ୍ ପକାଇବା ସହ ଖରାପ ହୋଇଥିବା ନଳକୂପ କୁ ତୁରନ୍ତ ମରାମତି କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।