୨୮ ଯାଏଁ ପ୍ରବଳ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ବଙ୍ଗୋପସାଗର ଏବଂ ଓଡ଼ିଶା ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ୨୫ ତାରିଖରେ ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ।୨୭ରେ ସୃଷ୍ଟ ଲଘୁଚାପଟି ଅବପାତରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ଆ‌ନ୍ଧ୍ରପ୍ରଦେଶ ଅତିକ୍ରମ କରିପାରେ । ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି । ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ସେପଟେ ୨୫ ତାରିଖ ବେଳକୁ ଉତ୍ତର-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଦିଗକୁ ଗତି କରି ୨୬ ତାରିଖରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆ‌ନ୍ଧ୍ରପ୍ରଦେଶ ଉପକୂଳରେ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତରେ ପରିଣତ ହୋଇପାରେ। ୨୭ ତାରିଖ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆ‌ନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।