ପୁଣି ଗଡିବ ୪୨ ଟି ୧୦୮ ଆମ୍ବୁଲାନ୍ସ, ଲୋକର୍ପଣ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

(ରିପୋଟର୍ସ ଟୁଡେ):ଜରୁରୀକାଳୀନ ୧୦୮ ଆମ୍ବୁଲାନ୍ସ ସେବାରେ ଯୋଡି ହୋଇଛି ଆଉ ୪୨ ଟି ଆମ୍ବଲାନ୍ସ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ଏହି ୪୨ ଟି ୧୦୮ ଆମ୍ବଲାନ୍ସକୁ ଲୋକାର୍ପିତ କରିଛନ୍ତି । ଫଳରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସଂଖ୍ୟା ୫୧୨କୁ ବୃଦ୍ଧି ପାଇଛି । ଏତଦବ୍ୟତୀତ ଗର୍ଭବତୀ ମା ଏବଂ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ନିମନ୍ତେ ୫୦୦ ଟି ୧୦୨ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଜରୁରୀକାଳୀନ ସେବାକୁ ଅଧିକ ପ୍ରସାରିତ କରିବା ନିମନ୍ତେ ଏବଂ ସେବାର କ୍ରମବର୍ଦ୍ଧ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଆଉ ଅତିରିକ୍ତ ୯୨ ଟି ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି । ଏଥିରୁ ୨୮ ଟି ବି.ଏଲ୍.ଏସ୍ ଆମ୍ବୁଲାନ୍ସକୁ ଉନ୍ନତି କରଣ ପୂର୍ବକ ଏ.ଏଲ୍.ଏସ୍ ଆମ୍ବୁଲାନ୍ସରେ ରୂପାନ୍ତରିତ କରିବା ନିମନ୍ତେ ସରକାର ନିଜସ୍ୱ ପାଣ୍ଠିରୁ ଆବଶ୍ୟକୀୟ ଅର୍ଥ ପ୍ରଦାନ କରିଛନ୍ତି ।