ଇସ୍ରାଏଲ–ଇରାନ୍ ଯୁଦ୍ଧ ଖବରକୁ ନେଇ ୪ ସପ୍ତାହ ପାଇଁ ଟିଭି ରେଟିଂ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ଇସ୍ରାଏଲ–ଇରାନ୍ ଯୁଦ୍ଧ ସମ୍ପର୍କିତ ଖବର ପ୍ରସାରଣରେ କିଛି ଟିଭି ଚ୍ୟାନେଲ୍ ଦ୍ୱାରା ଅଯଥା ଚାଞ୍ଚଲ୍ୟକର ଏବଂ ଅନୁମାନ ଆଧାରିତ ଖବର ପ୍ରସାରଣ କରାଯାଉଥିବା ଅଭିଯୋଗ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କଠୋର ପଦକ୍ଷେପ ନେଇଛି। ମନ୍ତ୍ରାଳୟ ୪ ସପ୍ତାହ ପାଇଁ ଟେଲିଭିଜନ୍ ରେଟିଂ ପଏଣ୍ଟ (TRP) ସସ୍‌ପେଣ୍ଡ କରିବାକୁ ନିଷ୍ପତ୍ତି ନେଇଛି। ମନ୍ତ୍ରାଳୟର କହିବା ଅନୁସାରେ, କିଛି ଚ୍ୟାନେଲ୍ ଅତ୍ୟଧିକ ଚାଞ୍ଚଲ୍ୟକର ଏବଂ ଅନୁମାନ ଆଧାରିତ ଖବର ପ୍ରସାରଣ କରୁଛନ୍ତି, ଯାହା ସାଧାରଣ ଲୋକଙ୍କ ମଧ୍ୟରେ ଅନାବଶ୍ୟକ ଆତଙ୍କ ସୃଷ୍ଟି କରିପାରେ।

ବିଶେଷ କରି ପ୍ରଭାବିତ ଅଞ୍ଚଳରେ ଥିବା ଲୋକଙ୍କ ପରିବାର ଓ ପରିଜନଙ୍କ ମନରେ ମଧ୍ୟ ଏହା ଚିନ୍ତା ଓ ଭୟ ସୃଷ୍ଟି କରିପାରେ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସ୍ୱାର୍ଥରେ ସରକାର ୪ ସପ୍ତାହ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଟିଭି ରେଟିଂ ପ୍ରଣାଳୀକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ମନ୍ତ୍ରାଳୟ କହିଛି ଯେ, ସମସ୍ତ ମାଧ୍ୟମ ସଂସ୍ଥା ଦାୟିତ୍ୱପୂର୍ଣ୍ଣ ଭାବରେ ଖବର ପ୍ରସାରଣ କରିବା ଆବଶ୍ୟକ।