ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସ (ପିଣ୍ଟୁ)ଙ୍କୁ ହତ୍ୟା ଧମକ । ଜଣେ ପେଶାଦାର ଅପରାଧୀ ତାଙ୍କୁ ହ୍ୱାଟସ୍ଆପ୍ରେ କଲ୍ କରି ଧମକ ଦେଇଥିବା ଗୋସାଇଁନୂଆଗାଁରେ ଏତଲା ଦେଇଛନ୍ତି ପିଣ୍ଟୁ । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପିଣ୍ଟୁ ଅଭିଯୋଗ କରିଛନ୍ତି ଯେ, ସେ ଗୋସାଇଁନୂଆଗାଁ ଲିଙ୍ଗରାଜ ନଗର ଘରେ ଥିବା ସମୟରେ ସନ୍ଧ୍ୟା ୭ଟା ୫୬ରେ ଏକ ହ୍ୱାଟସ୍ଆପ୍ କଲ୍ ଆସିଥିଲା । ସେ ରିସିଭ୍ କରିନଥିଲେ । ସନ୍ଧ୍ୟା ୮ଟା ୪୭ରେ ପୁଣି ସେହି ନମ୍ବରରୁ କଲ୍ ଆସିବାରୁ ସେ ରିସିଭ୍ କରିଥିଲେ । କେହି ଜଣେ ତାଙ୍କୁ ଗାଳିଗୁଲଜ କରିବା ସହ ଦୁଇ ଥର ବଞ୍ଚିଗଲୁ, ରିଙ୍କୁକୁ ଯେମିତି ଗୁଳି କଲି ସେମିତି ତତେ ମାରିବି, ଏଥର ଯେଉଁମାନେ ମର୍ଡର କେସ୍ରେ ସାକ୍ଷୀ ଦେବାକୁ କୋର୍ଟକୁ ଯିବେ ସେମାନଙ୍କୁ ମାରିବୁ ବୋଲି ଧମକ ଦେଇଥିଲା ।ସୂଚନାଯୋଗ୍ୟ କିଛି ବର୍ଷ ତଳେ ଶାଳିଆବନ୍ଧ ସାହିରେ ସଚିନ୍ ଚୌଧୁରୀ ଓରଫ୍ ରିଙ୍କୁଙ୍କୁ ଗୁଳି କରିଥିଲେ କିଛି ଦୁର୍ବୃତ୍ତ । ସେହି ମାମଲାରେ ଧମକ ଦେଇଥିବା ଅପରାଧୀ ଏଥିରେ ସମ୍ପୃକ୍ତ ଥିବା ପିଣ୍ଟୁ ଦାସ ଏତଲାରେ ଦର୍ଶାଇଛନ୍ତି।