ଇଂଲଣ୍ଡ : ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ବୋରିଶ ଜନସନ ଇସ୍ତଫା ଦେଇଛନ୍ତି । ଏହାପରେ କିଏ ହେବ ତାଙ୍କର ଉତରାଧିକାରୀ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥିତ୍ୱ ଘୋଷଣା କରିଛନ୍ତି । ବୋରିଶ ଜନସନ ଗତକାଲି ଏହି ପଦରୁ ଇସ୍ତଫା ଦେବା ପରେ ଆଜି ସୁନକ ଟୁଇଟ୍ କରି ସେ ବ୍ରିଟେନର ପରବର୍ତ୍ତ ପ୍ରଧାନମନ୍ତ୍ରୀ ହେବେ ବୋଲି ଦାବି କରିଛନ୍ତି। ଯଦି ସୁନକ ଏହି ପଦରେ ବସିବେ ତାହେଲେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ଏହି ପଦରେ ବସିବେ। ଟୁଇଟରେ ସେ ଲେଖିଛନ୍ତି “କନଜରଭେଟିଭ ଦଳର ପରବର୍ତ୍ତୀ ନେତା ଓ ବ୍ରିଟେନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ଛିଡ଼ା ହେବେ ।
ବୋରିଶ ସରକାରରେ ସୁନକ ଅର୍ଥମନ୍ତ୍ରୀ ଥିଲେ। ତେବେ ବୋରିଶ ସରକାରଙ୍କ ଉପ ମୁଖ୍ୟ ସଚେତକଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିବା ପରେ ସେ ବିବାଦୀୟ ହୋଇପଡିଥିଲେ। ଏହାପରେ ବୋରିଶଙ୍କ ଉପରେ ଆସ୍ଥା ନରଖି ପ୍ରଥମେ ଅର୍ଥମନ୍ତ୍ରୀ ଭାବେ ସୁନକ ଇସ୍ତଫା ଦେଇଥିଲେ। ପରେ ପରେ ମୋଟ୍ 40 ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ଏହାପରେ ପ୍ରଧାନମମନ୍ତ୍ରୀ ପଦରୁ ବୋରିଶ ଇସ୍ତଫା ଦେଇଥିଲେ। ରିଷି ସୁନକଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା । ପରେ ସେମାନେ ବ୍ରିଟେନରେ ବସବାସ କରିଥିଲେ । ରିଷିଙ୍କ ମା’ ଜଣେ ଫାର୍ମାସିଷ୍ଟ ଥିଲେ, ସେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବାରେ କାମ କରନ୍ତି । ତାଙ୍କ ବାପା ଅକ୍ସଫୋର୍ଡ୍ ଓ ଷ୍ଟାନଫୋର୍ଡ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଛନ୍ତି । ରିଷିଙ୍କ ଆଉ ଏକ ପରିଚୟ ହେଉଛି ସେ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ । ତାଙ୍କର ଦୁଇଟି ଝିଅ ଅଛନ୍ତି।