ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନଲାଇନରେ ହେବ ବ୍ୟବସ୍ଥା

ପୁରୀ: କରୋନା ମହାମାରୀ ପାଇଁ ଦୀର୍ଘ ୪ ମାସରୁ ଅଧିକ ଦିନ ହେବ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି । ଓଡିଶାର ଆରଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ । ଦୀର୍ଘଦିନ ହେବ ଦର୍ଶନ ବନ୍ଦ ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପୁଣି ଥରେ ଶ୍ରଦ୍ଧାଳୁମାନେ କିପରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେ ନେଇ ବିଚାରବିମର୍ଶ ଆରମ୍ଭ ହୋଇଛି। ଶ୍ରୀଜିଉଙ୍କ ଦର୍ଶନ ଲାଗି ଅନଲାଇନ୍ରେ ପଞ୍ଜିକରଣ କରାଯିବା ନେଇ ଆଲୋଚନା ଚାଲିଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଯଦି ଏହାକୁ ସ୍ୱୀକୃତି ମିଳେ ତେବେ ଏହା କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି ।
ଯଦି ଏପରି ହୁଏ ତେବେ ଶ୍ରଦ୍ଧାଳୁଙ୍କୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନଲାଇନ୍‌ରେ ନାମ ପଞ୍ଜିକରଣ କରିବାକୁ ପଡ଼ିବ। ଏଥିଲାଗି ଏକ ସ୍ବତନ୍ତ୍ର ୱେବସାଶଇଟ୍ ଖୋଲାଯିବ। ଏହି ୱେବସାଇଟରେ ଶ୍ରଦ୍ଧାଳୁଙ୍କୁ ନିଜର ନାମ ପଞ୍ଜିକରଣ କରିବାକୁ ହେବ । ଏହାପରେ ସେମାନେ କୋଭିଡ୍-୧୯ ଗାଇଡଲାଇନ୍ ଅନୁସାରେ ନିଜର ପରିଚୟ ଓ କରୋନା ପରୀକ୍ଷା ରିପୋର୍ଟ ଦାଖଲ କରିବେ। ଏହାପରେ ସେମାନଙ୍କୁ ଦର୍ଶନ ଲାଗି ସମୟ ପ୍ରଦାନ କରାଯିବ। ପ୍ରଥମେ ପୁରୀ ଶ୍ରଦ୍ଧାଳୁଙ୍କୁ ଏହି ଦର୍ଶନ ସୁବିଧା ଦିଆଯିବ ବୋଲି କୁହାଯାଉଛି। ଦିନକୁ ନିର୍ଦ୍ଧିଷ୍ଟ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଏହି ସୁଯୋଗ ଉପଲବ୍ଧ ହେବ। ଏହି ଅନ୍‌ଲାଇନ୍‌ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି ବୋଲି ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ସୂଚନା ଦେଇଛନ୍ତି।