ଅକ୍ସିଜେନ ମକଡ୍ରିଲରୁ ରୋଗୀଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦଫାଶ

ଆଗ୍ରା(ରିପୋର୍ଟର୍ସ ଟୁଡେ): କୋରୋନାର ଭୟଙ୍କର ପରିସ୍ଥିତି ସମୟରେ ଅକ୍ସିଜେନ ଏକ ବିରାଟ ସମସ୍ୟା ଭାବେ ଉଭା ହୋଇଛି । ତେବେ ଏହି ଅକ୍ସିଜେନର ମକଡ୍ରିଲ କରୁଥିବା ବେଳେ ଉତ୍ତରପ୍ରଦେଶର ଆଗ୍ରାଠାରେ ଥିବା ଏକ ହସ୍ପଟାଲରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ଘଟଣାରେ ଆସିଛି ନୂଆ ମୋଡ଼ । କିଛି ଦିନ ତଳେ ହଦ୍ପିଟାଲ ମାଲିକ ୫ ମିନିଟ ପାଇଁ ଅକ୍ସିଜେନ ସପ୍ଲାଏ ବନ୍ଦ କରି ମକଡ୍ରିଲ କିପରି କରାଯାଇଥିଲା ସେକଥା କହିବାର ଏକ ଅଡିଓ ଭାଇରାଲ ହୋଇଥିଲା । ତେବେ ଏହି ଘଟଣାର ଏବେ ପର୍ଦ୍ଦାଫାଶ ହୋଇଛି ।
ଅଡିଓ ଭାଇରାଲ ହେବା ପରେ ଘଟଣାଟି ବିବାଦର ରୂପ ନେବାରୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଉତ୍ତରପ୍ରଦେଶ ସରକାର । ତେବେ ଏକ କମିଟି ଏହାର ତଦନ୍ତ କରିବା ପରେ ହସ୍ପିଟାଲକୁ କ୍ଲିନଚିଟ ଦେଇଥିବା ଜଣାପଡିଛି । ପ୍ରାଣ ହରାଇଥିବା ୧୬ ଜଣଙ୍କ ମୃତ୍ୟୁ ସହିତ ଅକ୍ସିଜେନ ମକଡ୍ରିଲର କୌଣସି ସମ୍ପର୍କ ନଥିବା ତଦନ୍ତକାରୀ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । ମକଡ୍ରିଲ ପୂର୍ବରୁ ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିଲା ଏବଂ ବହୁବିଧ ରୋଗରେ ପିଡୀତ ଥିବାରୁ ସେମାନେ ପ୍ରାଣ ହରାଇଛନ୍ତି । ସେମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସହ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯୋଗାଇ ଦିଆଯାଇଥିଲା । ମକଡ୍ରିଲ କାରଣରୁ ସେମାନଙ୍କର ମୃତ୍ୟୁ ହୋଇତିବର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳିପାରିନାହିଁ ।