ମନୋରଞ୍ଜନ ସାଜିଲା ଦୁଃଖର କାରଣ : ଭସାଣିରେ ଘଟିଲା ବଡ ଅଘଟଣ

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ୍) : ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଷଙ୍କ ଭସାଣିରେ ଅଘଟଣ । ଅଘୋରୀ ନୃତ୍ୟ କରୁଥିବା କଳାକାର ପେଟ୍ରୋଲ ସଂସ୍ପର୍ଶରେ ଆସି ଗୁରୁତର । ଗୁରୁତର ଅବସ୍ଥାରେ କଳାକାରଙ୍କୁ ଉଦ୍ଧାର କରି ସ୍ଥାନୀୟ ଯୁବକଙ୍କ ସହାୟତାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଚଣ୍ଡେଶ୍ୱରରେ ଦେଖିବାକୁ ମିଳିଛି । ଗୁରୁତର ହୋଇଥିବା କଳାକାରଙ୍କ ନାମ ରୋହିତ କୁମାର ପାତ୍ର । ୨୨ ବର୍ଷ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରତନ ପୁର ଗ୍ରାମରେ ବୋଲି ଜଣା ପଡିଛି ।
ଗତ କାଲି ରାତିରେ ଚଣ୍ଡେଶ୍ୱର ବଜାରରେ ଚାଲିଥିଲା ପ୍ରଭୁ ଶ୍ରୀ ଗଣେଶଙ୍କ ଭସାଣି ଶୋଭାଯାତ୍ରା । ଏଥିରେ ଡିଜେ ପରିଵର୍ତ୍ତେ ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ ଚାଲିଥିଲା । ଏହି ପାରମ୍ପରିକ ନୃତ୍ୟ ଦଳରେ ସାମିଲ ହୋଇ ନୃତ୍ୟ ପ୍ରଦର୍ଶନ କରୁଥିଲେ ଅଘୋରୀ ନୃତ୍ୟ ଦଳ । ପେଟ୍ରୋଲରେ ନିଆଁ ଲଗାଇ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରୁଥିବା ବେଳେ ଅକସ୍ମାତ ପେଟ୍ରୋଲରୁ ନିଆଁ ଲାଗି କଳାକାରଙ୍କ ମୁହଁକୁ ନିଆଁ ବ୍ୟାପି ଯାଇଥିଲା । ଫଳରେ କଳାକାରଙ୍କ ମୁହଁ ଓ ଛାତିର ଅଧିକାଂଶ ଅଂଶ ପୋଡି ଯାଇଥିଲା । ତେଣୁ ସ୍ଥାନୀୟ ଯୁବକ ମାନେ ଗୁରୁତର ଅବସ୍ଥାରେ କଳାକାରଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।